ପିଏମ୍‌-କିଷାନ ଯୋଜନାରେ ମିଳିଲା ୫୫୬.୬୪ କୋଟି

ରାଜ୍ୟର ୨୮ ଲକ୍ଷ ଚାଷୀଙ୍କୁ ସହାୟତା

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ୍‌) ଯୋଜନା ଅନ୍ତର୍ଗତ ଅଷ୍ଟମ କିସ୍ତିରେ ସମଗ୍ର ଦେଶର ସାଢ଼େ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାରେ ପ୍ରଦାନ କରିଛନ୍ତି। ଏଥିରେ ଓଡ଼ିଶାର ୨୭ ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ସେହିପରି ପିଏମ୍‌-କିଷାନରେ ପଞ୍ଜୀକୃତ ରାଜ୍ୟର ସମସ୍ତ ୪୦ ଲକ୍ଷ ୫୦ ହଜାର ୧୦୩ ଜଣ ଚାଷୀ ଯେପରି ଉପକୃତ ହୋଇପାରିବେ, ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରରେ କ୍ରମାଗତ ଭାବେ ଅନ୍ନଦାତାଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଉଛି। ଓଡ଼ିଶାର ଚାଷୀ ଭାଇମାନେ ପିଏମ୍-କିଷାନ ଯୋଜନା ଅଧୀନରେ ମୋଟ ୮ଟି କିସ୍ତିରେ ୨ ହଜାର ଟଙ୍କା ହିସାବରେ ମୋଟ ୩,୮୩୦.୮୫ କୋଟି ଟଙ୍କାର ସହାୟତା ରାଶି ପାଇଛନ୍ତି। ପିଏମ୍‌-କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ୧୦୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ ମଧ୍ୟ ତାହା ମଧ୍ୟରୁ ସପ୍ତମ କିସ୍ତିରେ ମାତ୍ର ୨୪ ଲକ୍ଷ ୭୦ ହଜାର ୬୭୧ ଜଣ ଚାଷୀ ୪୯୪ କୋଟି ୧୩ ଲକ୍ଷ ଟଙ୍କାର ସହାୟତା ରାଶି ପାଇଥିଲେ। ଏ ନେଇ ଗତ ମାର୍ଚ୍ଚ ମାସ ପହିଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଅଷ୍ଟମ କିସ୍ତିରେ ୨୭ ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀ ଲାଭ ପାଇଛନ୍ତି, ଯାହା ସପ୍ତମ କିସ୍ତିରୁ ୩ ଲକ୍ଷ ୧୨ ହଜାର ୫୩୮ ଚାଷୀ ଅଧିକ। ତେଣୁ ଓଡ଼ିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ୍‌-କିଷାନ ଯୋଜନାରେ ପଞ୍ଜୀକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ, ସେଥି ପାଇଁ ପୁନର୍ବାର ରାଜ୍ୟ ସରକାର ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର