ଏପଟେ ଆଲୋଚନା, ସେପଟେ ରୁଷିଆର ଆକ୍ରମଣ ଜାରି

କିବ୍ : ଗୋଟିଏ ପଟେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଅନ୍ୟପକ୍ଷରେ ପୁଣି ଆକ୍ରମଣ ଆରମ୍ଭ କରିଛି ରୁଷୀୟ ସେନା । ଆଜି ୟୁକ୍ରେନ ସହର ଖାରକ୍ରିଭ୍ ଉପରେ ରୁଷିଆ ପକ୍ଷରୁ ରକେଟ୍ ଆକ୍ରମଣ କରାଯାଇଛି  । ଏଥିରେ ଅନେକ ଲୋକ ମୃତାହତ ହୋଇଥିବା କୁହାଯାଉଛି ।

ଅନ୍ୟପକ୍ଷରେ ୟୁକ୍ରେନ-ବେଲାରୁଷ୍ ସୀମା ନିକଟରେ ଥିବା ପ୍ରିପାଟ୍ ନଦୀ ନିକଟରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି । ଏହି ଆଲୋଚନା ବେଳେ ୟୁକ୍ରେନ ପକ୍ଷରୁ କେତେକ ଦାବି ରଖାଯାଇଛି । ସେଗୁଡ଼ିକ ମଧ୍ୟରେ ପ୍ରମୁଖ ଦାବି ହେଉଛି ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ ଓ ନିଜର ସୈନ୍ୟମାନଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରୁ ।

ଏହି ଆଲୋଚନା ଉପରେ ସମଗ୍ର ବିଶ୍ବର ନଜର  ରହିଛି । କାରଣ ଏହି ଆଲୋଚନାରୁ ଯୁଦ୍ଧ ଆଗକୁ ବଢିବ କିମ୍ବା ଯୁଦ୍ଧବିରତି ହେବ ତାହା ନିର୍ଦ୍ଧାରଣ ହୋଇପାରେ । ଆସନ୍ତା ୨୪ ଘଣ୍ଟା ୟୁକ୍ରେନ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୫ମ ଦିନରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ୩୫୨ ଜଣ ସାଧାରଣ ଲୋକ ମୃତ୍ୟୁବରଣ କରିଥିବାବେଳେ ଉଭୟ ପକ୍ଷର ହଜାର ହଜାର ସୈନ୍ୟ ମୃତ୍ୟୁବରଣ କରିସାରିଲେଣି । ଏହି ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ରୁଷିଆ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି ।

 

ସମ୍ବନ୍ଧିତ ଖବର