ଯେକୌଣସି ମୁହୂର୍ତ୍ତରେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିପାରେ: ଆମେରିକାର ସତର୍କ ସୂଚନା

ୱାସିଂଟନ୍‌: ଅବିଳମ୍ବେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିପାରେ ବୋଲି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ସତର୍କ ସୂଚନା ଦେଇ କହିଥିବା ବେଳେ ପ୍ରେସ୍‌ ସଚିବ ଜେନ୍‌ ସାକି କହିଛନ୍ତି, ୟୁକ୍ରେନ୍‌ ସୀମାନ୍ତରେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଉଛି।

ଦୈନିକ ସାମ୍ବାଦିକ ସମ୍ମିଳନୀରେ ସାକି କହିଛନ୍ତି, ଯେକୌଣସି ମୁହୂର୍ତ୍ତରେ ରୁଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଭଳି ପରିସ୍ଥିତି ଆସିଯାଇଛି ‌ବୋଲି ଆରମ ମନେହୁଏ। କିନ୍ତୁ, ସସ୍କୋ ସହ କୂଟନୈତିକ ଆଲୋଚନା ପାଇଁ ୱାସିଂଟନ୍‌ ଆଗ୍ରହୀ। ଏ ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ତାଙ୍କର ରୁଷୀୟ ପ୍ରତିପକ୍ଷ ସର୍ଗେ ଲାବରୋବ୍‌ଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ଚଳିତ ସପ୍ତାହରେ ସେମାନେ ଜିନିଭାରେ ଆଲୋଚନା କରିବା ଲାଗି ଏକମତ ହୋଇଛନ୍ତି।

ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ସୀମାନ୍ତକୁ ୧ ଲକ୍ଷ ସୈନିକ ପଠାଇ ସଙ୍କଟ ସୃଷ୍ଟି କରିଛନ୍ତି ବୋଲି ସାକି ଦୋଷାରୋପ କରିଛନ୍ତି। ଏଥିରେ ମିଳିତ ସମରାଭ୍ୟାସ ପାଇଁ ବେଲାରୁଷ୍‌ ଏବଂ ଅତିରିକ୍ତ ସମରାଭ୍ୟାସ ପାଇଁ ୟୁକ୍ରେନ୍‌ର ପୂର୍ବାଞ୍ଚଳ ସୀମାନ୍ତକୁ ପଠାଯାଇଥିବା ସୈନିକମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି। ସ୍ପଷ୍ଟ ରୂପେ କହିବାକୁ ଗଲେ, ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ବୋଲି ଆମର ମନେହୁଏ। ଆମେ ଏଭଳି ପରିସ୍ଥିତିରେ ପହଞ୍ଚିଛୁ ଯେ, ଯେକୌଣସି ମୁହୂର୍ତ୍ତରେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିପାରେ। ଆମ କଳନା ଠାରୁ ଏହି ଆକ୍ରମଣ ଆହୁରି ସାଙ୍ଘାତିକ ହୋଇପାରେ।

Image Courtesy of The Independent

କୂଟନୀତି ଅବଲମ୍ବନ ନ କଲେ ରୁଷ୍‌ ଚରମ ଆର୍ଥିକ ପରିଣତି ଭୋଗିବ। ଆର୍ଥିକ କଟକଣା ଭୋଗିବେ କି, ନାହିଁ ତାହା ଏବେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବଂ ରୁଷୀୟମାନଙ୍କ ଉପରେ ନିର୍ଭର କରେ ବୋଲି ସାକି ପୁନର୍ବାର କହିଛନ୍ତି।

ଆମେରିକାର ବରିଷ୍ଠ ବୈଦେଶିକ ବିଭାଗର ଅଧିକାରୀମାନ‌ଙ୍କ କହିବା ଅନୁସାରେ, ୟୁକ୍ରେନ୍‌ର ସାର୍ବଭୌମତ୍ବ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମର୍ଥନ ଜଣାଇବା ପାଇଁ ବ୍ଲିଙ୍କେନ୍‌ ପ୍ରଥମେ ୟୁକ୍ରେନ୍‌ ଗସ୍ତରେ ଯିବେ। ଏହାପରେ ସେ ଜର୍ମାନି ଗସ୍ତ କରି ରୁଷ୍‌ର କାର୍ଯ୍ୟକଳାପକୁ ମିଳିତ ଭାବେ ପ୍ରତିରୋଧ କରିବା ଲାଗି ୟୁରୋପୀୟ ମିତ୍ରରାଷ୍ଟ୍ରଙ୍କ ସହ ବ୍ୟପକ ମନ୍ତ୍ରଣା କରିବେ।

 

 

ସମ୍ବନ୍ଧିତ ଖବର