ରୁଷୀୟ ‘ଏସ୍‌-୪୦୦’ର ବିକଳ୍ପ

ଭାରତକୁ ‘ଥାଡ୍‌’ ଦେବା ପାଇଁ ଆମେରିକାର ପ୍ରସ୍ତାବ

ଓ୍ଵାସିଂଟନ୍‌: ଭାରତକୁ ‘ଟର୍ମିନାଲ୍‌ ହାଇ ଆଲ୍‌ଟିଚ୍ୟୁଡ୍‌ ଏରିଆ ଡିଫେନ୍ସ୍‌’ (ଥାଡ୍‌) ଏବଂ ‘ପାଟ୍ରିୟଟ୍‌ ଅଡ୍‌ଭାନ୍ସ୍‌ କାପାବିଲିଟି (ପାକ୍‌-୩) କ୍ଷେପଣାସ୍ତ୍ର ବ୍ୟବସ୍ଥା ବିକ୍ରି କରିବା ପାଇଁ ଆମେରିକା ପ୍ରସ୍ତାବ ଦେଇଛି। ଏହା ରୁଷିଆର ଏସ୍‌-୪୦୦ର ବିକଳ୍ପ ବୋଲି କୁହାଯାଉଛି। ରୁଷିଆର ଏସ୍‌-୪୦୦ କିଣିବା ପାଇଁ ଭାରତ ପକ୍ଷରୁ ବହୁତ ବର୍ଷ ହେଲା ଉଦ୍ୟମ ଜାରି ରହିଥିଲା। ତେବେ ରୁଷ୍‌ ଠାରୁ ଏସ୍‌-୪୦୦ କ୍ରୟ କଲେ ଭାରତ ଉପରେ ଆମେରିକା କଟକଣା ଲଗାଇବ ବୋଲି ଚେତାବନୀ ଦେଇଥିଲା। ପରବର୍ତ୍ତୀ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆମେରିକାର ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ୨+୨ ଆଲୋଚନା ପରେ ଭାରତ ଉପରେ କଟକଣା ଲଗାଇବା ଉପରେ କୋହଳ ମନୋଭାବ ପ୍ରକାଶ କରିଥିଲା ଆମେରିକା। ସେତେବେଳେ ରୁଷ ନିର୍ମିତ ଏସ୍‌-୪୦୦ କ୍ରୟ ନକରି ଏହାର ବିକଳ୍ପ ବ୍ୟବସ୍ଥା ଅନ୍ୟ କୌଣସି ଦେଶଠାରୁ କ୍ରୟ କରିବା ପାଇଁ ଆମେରିକା ଭାରତକୁ ପରାମର୍ଶ ଦେଇଥିଲା। ଏବେ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ଆମେରିକାର ଥାଡ୍‌ କ୍ଷେପଣାସ୍ତ୍ର ବ୍ୟବସ୍ଥା ଭାରତକୁ ବିକ୍ରିପାଇଁ ପ୍ରସ୍ତାବ ଦେଇଛି। ଆମେରିକା ନିର୍ମିତ ‘ଥାଡ୍‌’ର ପ୍ରକୃତ ମୂଲ୍ୟ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ଗୋଟିଏ ସିଷ୍ଟମ୍‌ର ମୂଲ୍ୟ ହାରାହାରି ୩୦୦ କୋଟି ଡଲାର୍‌ ହେବ ବୋଲି ସିଏନ୍‌ବିସି ରିପୋର୍ଟରୁ ଜଣାପଡିଛି।

ସମ୍ବନ୍ଧିତ ଖବର