ପୁଣି ବିରକ୍ତ କଲେ ଯୁଦ୍ଧପୋତ ଉପରେ ବୋମା ପକାଇବ ବୋଲି ବ୍ରିଟେନ୍‌କୁ ଚେତାବନୀ ଦେଲା ରୁଷ୍‌

ମସ୍କୋ: ରୁଷ୍‌ ବିଜିତ କ୍ରିମିଆ ଉପକୂଳ ଦୂରବର୍ତ୍ତୀ କୃଷ୍ଣ ସାଗରରେ ବ୍ରିଟିସ୍ ନୌସେନା ଯଦି କୌଣସି ବିରକ୍ତିକର କାର୍ଯ୍ୟକଳାପ କରେ ତେବେ ବ୍ରିଟିସ୍‌ ଯୁଦ୍ଧପୋତ ଉପରେ ବୋମାବର୍ଷଣ କରିବ ବୋଲି ଗୁରୁବାର ଦିନ ରୁଷ୍‌ ଚେତବନୀ ଦେଇଛି।

ରୁଷ୍‌ ଅଧିକୃତ କ୍ରିମିଆ ଅଞ୍ଚଳର ଜଳରାଶି ମଧ୍ୟକୁ ବ୍ରିଟିସ୍‌ ଯୁଦ୍ଧପୋତ ପ୍ରବେଶ କରିଥିଲା ବୋଲି ମସ୍କୋ ଉତ୍‌କ୍ଷିପ୍ତ ହୋଇ ଏଭଳି ଚେତାବନୀ ଦେଇଛି। କିନ୍ତୁ, ଏହି ଜଳରାଶି ୟୁକ୍ରେନ୍‌ ଅଞ୍ଚଳ ଅନ୍ତର୍ଗତ ବୋଲି ‌ବ୍ରିଟେନ୍‌ ଓ ବିଶ୍ବର ଅଧିକାଂଶ ରାଷ୍ଟ୍ର ଜାଣନ୍ତି।

ସେପଟେ ବ୍ରିଟେନ୍‌ କହୁଛି ଯେ, ରୁଷ୍‌ ଉକ୍ତ ଘଟଣାର ଭୁଲ୍‌ ବିବରଣୀ ଉପସ୍ଥାପନ କରୁଛି। ଯୁଦ୍ଧପୋତ ‘ରୟଲ୍‌ ନେଭି ଡେଷ୍ଟ୍ରୟର୍‌ ଡିଫେଣ୍ଡର୍‌’ ପଥରେ କୌଣସି ଚେତାବନୀ ସୂଚକ ଗୁଳି ବର୍ଷଣ କିଂବା ବୋମା ଫିଙ୍ଗାଯାଇନାହିଁ।

Image Courtesy of Reuters

କୃଷ୍ଣ ସାଗରରେ ବ୍ରିଟେନ୍‌ ବିପଜ୍ଜନକ କାର୍ଯ୍ୟକଳାପ କରୁଛି ବୋଲି ମସ୍କୋରେ ରୁଷ୍‌ ବ୍ର‌ିଟେନ୍‌ର ରାଷ୍ଟ୍ରଦୂତ ଦେବୋରା ବ୍ରନେଟ୍‌ଙ୍କୁ ଡକାଇ ଭର୍ତ୍ସନା କରି କହିଥିବା ବେଳେ ରୁଷ୍‌ର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ରୀ ମାରିଆ ଜାଖାରୋଭା କହିଛନ୍ତି ଯେ, ଲଣ୍ଡନ୍‌ ନିର୍ଲଜଙ୍କ ଭଳି ମିଥ୍ୟାଚାର କରୁଛି।

ରୁଷ୍‌ର ଉପବୈଦେଶିକ ମନ୍ତ୍ରୀ ସର୍ଗେଇ ରିଆବକୋଭ୍‌ ରୁଷୀୟ ସମ୍ବାଦ ସରବରାହ ଏଜେନ୍‌ସିଙ୍କୁ କହିଛନ୍ତି, ଆମେ ମିଥ୍ୟାବତାରଣା ନ କରି ଆନ୍ତର୍ଜାତିକ ନିୟମ ପ୍ରତି ସମ୍ମାନ ଦାବି କରି ପାରିବୁ। ଯଦି ସେଥିରେ କାମ ନ ହୁଏ, ଆମେ ବୋମା ଫିଙ୍ଗିବୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରିଟିସ୍‌ ଯୁଦ୍ଧପୋତ ପଥରେ କ’ଣ କହୁଛନ୍ତି, ଏଥର ଯୁଦ୍ଧପୋତ ଉପରେ ହିଁ ବୋମା ପକାଇବୁ।

ସୂଚନାଯୋଗ୍ୟ, ଭୂମଧ୍ୟସାଗର ଅଞ୍ଚଳରେ କ୍ଷମତା ପ୍ରଦର୍ଶନ କରିବା ଲାଗି ରୁଷ୍‌ ବ୍ୟବହାର କରୁଥିବା କୃଷ୍ଣସାଗର ଯୋଗୁଁ ଶହ ଶହ ବର୍ଷ ଧରି ରୁଷ୍‌ ସହ ତୁର୍କୀ, ଫ୍ରାନ୍‌ସ୍‌, ବ୍ରିଟେନ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ପ୍ରତିଦ୍ବନ୍ଦିତା ଲାଗି ରହିଛି।

ସମ୍ବନ୍ଧିତ ଖବର