ରୁଷ-ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥି ହେବ କି ଭାରତ ?

ନୂଆଦିଲ୍ଲୀ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଦୁଇଦିନିଆ ରୁଷ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଆଲୋଚନା କରିବେ ।

ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଅଧିକ ଭୀଷଣ ହେଉଥିବାବେଳେ ଓ ପରମାଣୁ ଅସ୍ତ୍ର ପ୍ରୟୋଗ କଥା ଉଠୁଥିବାବେଳେ ଜୟଶଙ୍କରଙ୍କ ଏହି ଗସ୍ତ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଭାରତ ଏହି ଯୁଦ୍ଧ ବନ୍ଦ ପାଇଁ ସକ୍ରିୟ ଭାବେ ଉଦ୍ୟମ କରୁଛି ବୋଲି ପାଶ୍ଚାତ୍ୟ ଗଣମାଧ୍ୟମରେ ଆଲୋଚନା ହେଉଛି । ଗତ ସପ୍ତାହରେ ଓ୍ବାସିଂଟନ ପୋଷ୍ଟ ରିପୋର୍ଟ କରିଥିଲା ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ପୂର୍ବରୁ ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀ ଅବସରରେ ହୋଇଥିବା ମୋଦୀ-ପୁଟିନ ଆଲୋଚନା ବେଳେ ମୋଦୀ ଶାନ୍ତି ପ୍ରକ୍ରିୟା ଉପରେ ଗୁରୁତ୍ବ ଦେଇଥିଲେ । ଏହା ସହିତ ଯୁଦ୍ଧ ବନ୍ଦ ପାଇଁ ସେ ପୁଟିନଙ୍କୁ ଅନୁରୋଧ କରିଥିଲେ । ଏହାର ଜବାବରେ ପୁଟିନ କହିଥିଲେ ଯେ ସେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି, କିନ୍ତୁ ୟୁକ୍ରେନ ଚାହୁଁନାହିଁ ।

କିଛି ମାସ ପୂର୍ବରୁ ଏହି ଯୁଦ୍ଧ ଚାଲିଥିବାବେଳେ ଭାରତ ଗୋଟିଏ ପ୍ରସଙ୍ଗରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା । ୟୁକ୍ରେନରୁ ରପ୍ତାନି ହେଉଥିବା ଗହମକୁ ରୁଷ ଅଟକାଇ ଦେଇଥିବାରୁ ବିଶ୍ବରେ ଖାଦ୍ୟ ସଂକଟ ଆଶଙ୍କା ଦେଖାଦେଇଥିଲା । କିନ୍ତୁ ଜାତିସଂଘ,ତୁର୍କୀ ସମେତ ଭାରତର ଉଦ୍ୟମକ୍ରମେ ରୁଷ ଗହମ ଛାଡ଼ିବାକୁ ରାଜି ହୋଇଥିଲା । ସେହିପରି ରୁଷ ପକ୍ଷରୁ ୟୁକ୍ରେନର ଜାପୋରିଝିଆ ପରମାଣୁ କେନ୍ଦ୍ର ଉପରେ ବୋମାବର୍ଷଣ ଚାଲିଥିବାବେଳେ ଭାରତର ପରାମର୍ଶ କ୍ରମେ ଏହି ପରମାଣୁ କେନ୍ଦ୍ରକୁ ମୁକ୍ତ କରାଯାଇଥିଲା ।

ଏଣୁ ଜୟଶଙ୍କରଙ୍କ ଗସ୍ତକୁ ନେଇ ବିଶ୍ବର ଆଶା ବଢିଯାଇଛି ।

ସମ୍ବନ୍ଧିତ ଖବର