ଧ୍ୱଂସ ହୋଇଯିବ ସାବରମତୀ ଆଶ୍ରମ!

ସରକାରଙ୍କ ନୂଆ ପ୍ରକଳ୍ପକୁ ବିଭିନ୍ନ ମହଲରେ ବିରୋଧ

ଅହମଦାବାଦ : କେନ୍ଦ୍ର ଏବଂ ଗୁଜରାଟ ସରକାର ଅହମଦାବାଦରେ ଥିବା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମର ପୁନଃନିର୍ମାଣ ଲାଗି ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଏହି ଆଶ୍ରମକୁ ଧ୍ବଂସ କରିଦେବ। ଯେଉଁ ଆଶ୍ରମ ଶାନ୍ତିର ବାର୍ତା ଦେଉଥିଲା ଏବଂ ସ୍ବାଧୀନତା ପାଇଁ ଅହିଂସା ଆନ୍ଦୋଳନ ଲାଗି ମହାତ୍ମା ଗାନ୍ଧୀଙ୍କୁ ପ୍ରେରିତ କରିଥିଲା, ଆଜି ସେହି ଅାଶ୍ରମର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଲାଣି। ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଗଲାଣି। କୁହାଯାଉଛି ଯେ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଲେ ଆଶ୍ରମର ପବିତ୍ରତା ନଷ୍ଟ ହୋଇଯିବ। ନୂଆ ଯୋଜନା କାର୍ଯ୍ୟକାରୀ କରିବା ଅପେକ୍ଷା ଆଶ୍ରମକୁ ଏହାର ପୂର୍ବ ସ୍ଥିତିରେ ରଖିବା ଲାଗି ସେମାନେ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ୧୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ‘ଗାନ୍ଧୀ ଆଶ୍ରମ ମେମୋରିଆଲ ଆଣ୍ଡ୍ ଡେଭ୍‌ଲପ୍‌ମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ପୁନଃନିର୍ମାଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକର ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। କିନ୍ତୁ ବିଭିନ୍ନ ମହଲରେ ଏହାର ଜୋରଦାର ବିରୋଧ କରାଯାଇଛି। ଦେଶର ପ୍ରାୟ ୧୩୦ ଜଣ ବିଶିଷ୍ଟ ବ୍ୟକ୍ତି ଏକ ମିଳିତ ବିବୃତି ଜାରି କରି ପ୍ରସ୍ତାବିତ ପ୍ରକଳ୍ପ ଆଶ୍ରମର ସରଳତା ଓ ପବିତ୍ରତାକୁ ନଷ୍ଟ କରିବ ବୋଲି କହିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଅତି ବେଶିରେ ଏହାକୁ ‘ଗାନ୍ଧୀ ଥିମ୍ ପାର୍କ’ ବୋଲି କୁହାଯାଇପାରେ। କିନ୍ତୁ ଏହାକୁ ଏକ ପ୍ରକାର ‘ଦ୍ୱିତୀୟ ଗାନ୍ଧୀ ହତ୍ୟା’ ଭାବରେ ବିବେଚନା କରାଯାଇପାରେ ବୋଲି ସେମାନେ କହିଛନ୍ତି। ଏହି ବିବୃତିରେ ଦସ୍ତଖତକାରୀମାନେ ଗାନ୍ଧୀ ଅନୁଷ୍ଠାନଗୁଡିକର କୌଣସି ପ୍ରକାର ସରକାରୀ ଦଖଲକୁ ସାମୂହିକ ଭାବରେ ବିରୋଧ କରିବାକୁ ଆହ୍ବାନ ଦେଇଛନ୍ତି। ଭବିଷ୍ୟତର କାର୍ଯ୍ୟକଳାପ ସ୍ଥିର କରିବାକୁ ସେମାନେ ଖୁବ୍ ଶୀଘ୍ର ଏକ ବୈଠକ କରିବାକୁ ଯୋଜନା କରୁଛନ୍ତି।

picnicplacesnearme.blogspot.com

ଗୁଜରାଟ ସାହିତ୍ୟ ପରିଷଦର ସଭାପତି ତଥା ବିଶିଷ୍ଟ ଲେଖକ ପ୍ରକାଶ ଏନ୍‌ ଶାହାଙ୍କ ନେତୃତ୍ୱରେ ଚାଲିଥିବା ବିରୋଧ ଅଭିଯାନରେ ଏହି ଦସ୍ତଖତକାରୀଙ୍କ ତାଲିକାରେ ଅଛନ୍ତି: ଲେଖକ ତଥା ସାଂସ୍କୃତିକ କାର୍ଯ୍ୟକର୍ତ୍ତା ଜି.ଏନ୍. ଦେବୀ, ଚଳଚ୍ଚିତ୍ର ନିର୍ମାତା ଆନନ୍ଦ ପଟ୍ଟବର୍ଦ୍ଧନ, ଲେଖକ ରାମ ପୁନ୍ୟାନି, ଐତିହାସିକ ରାଜମୋହନ ଗାନ୍ଧୀ, ଲେଖକ ନୟନତାରା ସେହଗଲ, ଐତିହାସିକ ରାମଚନ୍ଦ୍ର ଗୁହା, ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଏ.ପି. ଶାହା, ପୂର୍ବତନ ଆଇଏଏସ୍ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଅରୁଣା ରାୟ, କଳାକାର ତଥା କବି ଗୁଲାମ ମହମ୍ମଦ ଶେଖ, ସାମ୍ବାଦିକ କୁମାର କେତକାର, ଲେଖକ ପି. ସାଇନାଥ, ସମାଜସେବୀ ଯୋଗେନ୍ଦ୍ର ଯାଦବ, ଓକିଲ ଆନନ୍ଦ ଗ୍ରୋଭର, ଶିକ୍ଷାବିତ୍ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଅପୂର୍ବାନନ୍ଦ ଏବଂ ବହୁ ବିଶିଷ୍ଟ ପୂର୍ବତନ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍, ଆଇଆର୍‌ଏସ୍ ଏବଂ ୱାଜାହତ ହବିବୁଲ୍ଲା, ଜୁଲିଓ ରିବିରୋଙ୍କ ପରି ପ୍ରତିରକ୍ଷା ଅଧିକାରୀ।

‘ଗାନ୍ଧୀ ଅନୁଷ୍ଠାନଗୁଡିକର ସରକାରୀ ଦଖଲକୁ ରୋକ’ ଶୀର୍ଷକ ବିବୃତିରେ କୁହାଯାଇଛି ଯେ ବର୍ତ୍ତମାନର ସରକାର ୧୯୪୯ ମସିହାର ଶାନ୍ତ ସୁନ୍ଦର ମନୋରମ ବାତାବରଣ ବିଶିଷ୍ଟ ଆଶ୍ରମର ୫୪ ଏକରରୁ ଅଧିକ ଜାଗାକୁ ଦଖଲ କରି ଏହାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବାକୁ ବସିଛନ୍ତି। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ। ଦେଶର ସମସ୍ତ ଗାନ୍ଧୀ ଅନୁଷ୍ଠାନକୁ ବ୍ୟବସାୟିକ କରିବା ବର୍ତ୍ତମାନ ସରକାରଙ୍କ ରଣନୀତି। ସେବାଗ୍ରାମରେ ଏହାର ସବୁଠାରୁ ଖରାପ ଉଦାହରଣ ଦେଖିବାକୁ ମିଳେ। କିନ୍ତୁ ସବୁଠାରୁ ଭୟାନକ ଦିଗ ହେଉଛି ସମସ୍ତ ଗାନ୍ଧୀ ଅଭିଲେଖାଗାର ଉପରେ ସରକାରୀ ନିୟନ୍ତ୍ରଣ।

ହୃଦୟ କୁଞ୍ଜ (ଯେଉଁଠାରେ ଗାନ୍ଧୀ ୧୯୧୭ରୁ ୧୯୩୦ ମଧ୍ୟରେ କସ୍ତୁରବାଙ୍କ ସହ ରହୁଥିଲେ) ଏବଂ ସ୍ମୃତି ସଂଗ୍ରହାଳୟ ବିଷୟରେ ବିବୃତିରେ ଲେଖାଯାଇଛି, ‘ହୃଦୟ କୁଞ୍ଜ ଏବଂ ସ୍ମୃତି ସଂଗ୍ରହାଳୟ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ପ୍ରତିଦିନ ହଜାର ହଜାର ପରିଦର୍ଶକଙ୍କୁ ପ୍ରକୃତ ଗାନ୍ଧୀ ଢଙ୍ଗରେ ଅଭିବାଦନ ଜଣାଉଛି। ସୁରକ୍ଷା ଯାଞ୍ଚ କିମ୍ବା ସଶସ୍ତ୍ର ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳେ ନାହିଁ। ପରିଦର୍ଶକମାନେ ସେହି ସ୍ଥାନର ସୌନ୍ଦର୍ଯ୍ୟ, ଖୋଲାସ୍ଥାନ ଏବଂ ପବିତ୍ରତା ଦ୍ୱାରା ଅନୁପ୍ରାଣିତ ହୁଅନ୍ତି। ୧୯୬୦ ଦଶକ ପ୍ରାରମ୍ଭରେ ଚାର୍ଲସ କୋରିଆଙ୍କ ଦ୍ୱାରା ପରିକଳ୍ପିତ ମ୍ୟୁଜିୟମ୍‌ ବିଲ୍ଡିଂ ଉପରୋକ୍ତ ସମସ୍ତ ମୂଲ୍ୟବୋଧକୁ ପ୍ରତିଫଳିତ କରେ ।’ ଏଥିରେ କୁହାଯାଇଛି ଯେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ସ୍ଥାନଟିକୁ ବିଶ୍ୱସ୍ତରୀୟ ପୁନର୍ଗଠନର ଆବଶ୍ୟକତା ନାହିଁ କାରଣ ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ, ବିଶେଷ ଭାବରେ ସ୍କୁଲ ପିଲା ତଥା ବିଦେଶୀ ପରିଦର୍ଶକ ସାବରମତୀ ଆଶ୍ରମକୁ ଆସନ୍ତି।

ସମ୍ବନ୍ଧିତ ଖବର