ଜଷ୍ଟିସ ଦୀପକ ମିଶ୍ରଙ୍କ ପଦୋନ୍ନତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀଙ୍କୁ ୫ ଲକ୍ଷ ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୧୭ ମସିହାରେ ଜଷ୍ଟିସ ଦୀପକ ମିଶ୍ରଙ୍କ ପଦୋନ୍ନତିକୁ ଚ୍ୟାଲେଞ୍ଜ କରିଥିବା ଦୁଇ ଆବେଦନକାରୀଙ୍କୁ ଜରିମାନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଜଷ୍ଟିସ ଦୀପକ ମିଶ୍ରଙ୍କ ପଦୋନ୍ନତିକୁ ବିରୋଧ କରି ସ୍ୱାମୀ ଓମ୍ ଏବଂ ମୁକେଶ ଜୈନ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ ଆଜି ମୁକେଶ ଜୈନଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି। ସେହିପରି କୋର୍ଟ ଆବେଦନକାରୀଙ୍କୁ ବେଞ୍ଚରେ ହାଜର ହେବାକୁ ଏକ ସପ୍ତାହ ସମୟ ଦେଇଛନ୍ତି। ସୂଚନା ଥାଉ କି, ଚଳିତ ବର୍ଷ ଫେବୃଆରୀରେ ନିଜକୁ ଭଗବାନ ବୋଲି କହୁଥିବା ସ୍ୱାମୀ ଓମଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି କୋର୍ଟ ଜରିମାନା ରାଶି ଅଧା କରିଦେଇଛନ୍ତି।

ଏହାପୂର୍ବରୁ ଜରିମାନା ରାଶି ୧୦ ଲକ୍ଷ ଟଙ୍କା ଥିଲା | ସ୍ୱାମୀ ଓମଙ୍କ ମୃତ୍ୟୁ ପରେ ସୁପ୍ରିମକୋର୍ଟ ଏହି ମାମଲାର ଦ୍ୱିତୀୟ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭ ରେ ଅବସରପ୍ରାପ୍ତ ଜଷ୍ଟିସ ଦୀପକ ମିଶ୍ରଙ୍କୁ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ନିଯୁକ୍ତିକୁ ନେଇ ଦୁଇ ଜଣ ଆବେଦନକାରୀ (ସ୍ୱାମୀ ଓମ୍ ଏବଂ ମୁକେଶ ଜୈନ) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ |

ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ଡ଼.ଧନଞ୍ଜୟ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଏମ.ଆର. ଶାହା ଏହି ଆଦେଶ ଦେଇଥିବାବେଳେ ମୁକେଶ ଜୈନଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୭ ରେ ଏହି ମାମଲାର ଶୁଣାଣି କରିଥିବା ଖଣ୍ଡପୀଠ କହିଥିଲେ ଯେ ଲୋକପ୍ରିୟତା ହାସଲ କରିବା ପାଇଁ ଏଭଳି ଆବେଦନ କରାଯାଇଛି | ଆଉ କୋର୍ଟ ଏହାକୁ ଖାରଜ କରି ଉଭୟଙ୍କୁ ୧୦ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର