ଚାଷୀଙ୍କ ପାଇଁ ୨ ଲକ୍ଷ କୋଟିର ସୁଲଭ ଋଣ ଯୋଜନା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ୩୦ ହଜାର କୋଟିର ସ୍କିମ

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେତେକ ସ୍କିମ ଘୋଷଣା କରିଛନ୍ତି ।

କିସାନ କ୍ରେଡିଟ କାର୍ଡ ମାଧ୍ୟମରେ ପିଏମ-କିଷାନ ହିତାଧିକାରୀଙ୍କୁ ୨ ଲକ୍ଷ କୋଟିର ସୁଲଭ ଋଣ ସହାୟତା ପ୍ରଦାନ କରାଯିବ । ମତ୍ସ୍ୟଚାଷୀ ଓ ପଶୁପାଳକମାନେ ମଧ୍ୟ ଏହି ସ୍କିମର ଲାଭ ଉଠାଇପାରିବେ । ଏହି ସ୍କିମ ଦ୍ୱାରା ଚାଷୀମାନେ କମ ସୁଧରେ ବ୍ୟାଙ୍କ ଋଣ ପାଇପାରିବେ । ଏହି ସ୍କିମ ଦ୍ୱାରା ପ୍ରାୟ ୨.୫ କୋଟି କୃଷକ ଉପକୃତ ହେବେ ।

ଏହାଛଡ଼ା ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହାୟତା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦ ହଜାର କୋଟିର ଏକ ସ୍କିମ ଘୋଷଣା କରିଛନ୍ତି । ଏହି ସ୍କିମ ଅଧିନରେ ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନାବାର୍ଡ ମାଧ୍ୟମରେ ଅତିରିକ୍ତ ଜରୁରୀକାଳୀନ ଚଳନ୍ତି ପୁଞ୍ଜି ଉପଲବ୍ଧ କରାଯିବ । ନାବାର୍ଡ ଦ୍ୱାରା ଗ୍ରାମୀଣ ସମବାୟ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମାନଙ୍କୁ ଏହି ପାଣ୍ଠି ଯୋଗାଇଦିଆଯିବ ଯଦ୍ୱାରା ସେମାନେ ଫସଲ ଋଣ ପ୍ରଦାନ କରିପାରିବେ । ଚଳିତ ବର୍ଷ ସ୍ୱାଭାବିକ ଭାବେ ନାବାର୍ଡ ଦ୍ୱାରା ଦିଆଯାଉଥିବା ୯୦ ହଜାର କୋଟିର ରିଫାଇନାନ୍ସ ସହ ଅତିରିକ୍ତ ଭାବେ ଏହା ଦିଆଯିବ । ଏହା ଦ୍ୱାରା ଦେଶର ୩ କୋଟି ଚାଷୀ ଉପକୃତ ହେବେ ।

ଅନ୍ୟପକ୍ଷରେ ଆଦିବାସୀଙ୍କ ନିମନ୍ତେ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାର କାମ୍ପା ପାଣ୍ଠି ଅଧିନରେ ୬ ହଜାର କୋଟିର ଏକ ସ୍କିମ ଘୋଷଣା କରିଛନ୍ତି । ଏହି ଅର୍ଥକୁ ରାଜ୍ୟ ସରକାରମାନେ ବନୀକରଣ, ଜଙ୍ଗଲ ସୁରକ୍ଷା, ମୃର୍ତ୍ତିକା ସଂରକ୍ଷଣ, ଜଳସଂରକ୍ଷଣ ଆଦି କାମ ମାଧ୍ୟମରେ ଲୋକମାନଙ୍କୁ ନିଯୁକ୍ତି ଯୋଗାଇଦେବେ ।

ସମ୍ବନ୍ଧିତ ଖବର