ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା

ନୂଆଦିଲ୍ଲୀ : ଗୁରୁବାର ଭାରତ ୭୩ ତମ ସ୍ବାଧୀନତା ଦିବସ ହର୍ଷୋଲ୍ଲାସ ସହିତ ପାଳନ କରିବ। ଏଥିପାଇଁ ଦେଶବାସୀଙ୍କ ମଧୢରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଏହି ପରିପ୍ରେକ୍ଷୀରେ ରାଜଧାନୀ ଦିଲ୍ଲୀ ଆଜିଠୁ ବେଶ୍‌ ଉତ୍ସବମୁଖର ହୋଇଉଠିଛି। କିନ୍ତୁ ନିକଟରେ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ପାକିସ୍ତାନୀ ଆତଙ୍କବାଦୀମାନେ ଏଥର ଦିଲ୍ଲୀ ଏବଂ କଶ୍ମୀରକୁ ଟାର୍ଗେଟ୍‌ କରିବାକୁ ଯୋଜନା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସହ ଜମ୍ମୁ କଶ୍ମୀରରେ ମଧ୍ୟ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ବହୁସ୍ତରୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଅତିରିକ୍ତ ୨୦ ହଜାର ଯବାନଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀ ମେଟ୍ରୋ, ବିମାନ ବନ୍ଦର ସମେତ ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଂଚଳ ଅର୍ଦ୍ଧସାମରିକ ବାହିନୀର କଡ଼ା ସୁରକ୍ଷା ବଳୟରେ ରହିଛି।

ଦିଲ୍ଲୀରେ ଜୈସ ଏବଂ ଲସ୍କର ଆତଙ୍କବାଦୀଙ୍କ ଦ୍ବାରା ମିଳିତ ଆକ୍ରମଣ ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିବାରୁ ଲାଲକିଲ୍ଲା ଏବଂ ଅନ୍ୟ ଅଂଚଳରେ ଅଭୂତପୂର୍ବ ସୁରକ୍ଷା ପଦକ୍ଷେପ ନିଆଯାଇଛି। ସ୍ବାଧୀନତା ଦିବସ ପରେଡ ପାଇଁ ଆଜି ଲାଲ୍‌କିଲ୍ଲାରେ ରିହର୍ସାଲ୍‌ କରାଯାଇଥିଲା। ଦିଲ୍ଲୀ ଏନ୍‌ସିଆର୍‌ର ସବୁ ଅଂଚଳରେ ବିଶେଷ ସୁରକ୍ଷା ପଦକ୍ଷେପ ନିଆଯାଇଛି। ଜମ୍ମୁ କଶ୍ମୀରରେ ମଧ୍ୟ ପ୍ରତ୍ୟେକଟି ଗତିବିଧି ଉପରେ ସତର୍କ ନଜର ରଖାଯାଇଛି। ଜମ୍ମୁ ସେକ୍ଟରର ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

ବିଏସଏଫ୍‌ ପକ୍ଷରୁ ସୀମା ଅଂଚଳରେ ସ୍ବତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି। ରାଜୌରି, ପୁଞ୍ଚ୍‌ ଏବଂ ନୌସେନା ଅଂଚଳରେ ସେନା ଆଜି ପାକ୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି। ଜମ୍ମୁ କଶ୍ମୀରର ସମସ୍ତ ସହରରେ ସୁରକ୍ଷା ପାଇଁ ଅତିରିକ୍ତ ସେନା ଯବାନ ଏବଂ ସ୍ଥାନୀୟ ପୁଲିସ ମୁତୟନ ହୋଇଛନ୍ତି। ଦିଲ୍ଲୀରେ ସୁରକ୍ଷା ସ୍ଥିତି ଉପରେ ଅହରହ ନଜର ରଖାଯାଇଛି। ସମସ୍ତ ସମ୍ବେଦନଶୀଳ ଅଂଚଳରେ ଅଧିକ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ସିସିଟିଭି ଫୁଟେଜ୍‌ ଉପରେ ୨୪ ଘଣ୍ଟା ନଜର ରଖାଯାଉଛି ।

ସମ୍ବନ୍ଧିତ ଖବର