୭ ରାଜ୍ୟରେ ହାଇ ଆଲର୍ଟ

୭୦ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କୁ ଆଗ୍ରା ସ୍ଥାନାନ୍ତର

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦକୁ ନେଇ ଏବେ ପାକିସ୍ତାନ-ଭାରତ‌ ସମ୍ପର୍କ ଅତି ମାତ୍ରାରେ ତିକ୍ତ ହୋଇ ଉଠିଥିବା ବେଳେ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ (ଜୈସ୍‌ ଏ ମହମ୍ମଦ୍‌) ଭାରତର ବିଭିନ୍ନ ରାଜ୍ୟରେ ଆକ୍ରମଣ ଯୋଜନା କରିଛି। ଗୁଇନ୍ଦା ଏହି ଖବର ମିଳିବା ପରେ ୬ଟି ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି।

ଗୁଇନ୍ଦା ସୂତ୍ରରୁ ଜ‌ାଣିବାକୁ ମିଳିଛି ଯେ ଜେଇଏମ୍‌ ଆତଙ୍କବାଦୀ ଗୋଷ୍ଠୀ ଏବେ ପୁଣି ଥରେ ପୁଲୱାମା ପରି ଆତ୍ମଘାତୀ ଆକ୍ରମଣ ଯୋଜନା କରୁଛି। କଶ୍ମୀରକୁ ଛାଡ଼ି ଅନ୍ୟ ୭ ରାଜ୍ୟରେ ଜେଇଏମ୍‌ ଆକ୍ରମଣ ‌‌ଯୋଜନା କରୁଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବେ ଆତଙ୍କବାଦୀଙ୍କୁ ସହଯୋଗ କରି ଭାରତରେ ସିରିଜ୍‌ ଆକ୍ରମଣ ଯୋଜନା କରିଛି। ଏଲ୍‌ଓସି ନିକଟରେ ପାକିସ୍ତାନ ଆତଙ୍କବାଦୀଙ୍କୁ ଠୁଳ କରି ରଖିଛି। ସେନା, ପୁଲିସ ଏବଂ ଅନ୍ୟ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ ଯୋଜନା କରାଯାଉଛି। ଗୁଇନ୍ଦା ସୂଚନା ମିଳିବାପରେ ଏବେ ଦିଲ୍ଲୀ, ରାଜସ୍ଥାନ, ପଂଜାବ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ହାଇ ଆଲର୍ଟ ଜାରି ହୋ‌ଇଛି। କଶ୍ମୀରର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ଅନେକ ବିଚ୍ଛିନ୍ନତାବାଦୀ ଏବଂ ୭୦ ଜଣ ଆତଙ୍କବାଦୀଙ୍କୁ ଆଗ୍ରା ସ୍ଥାନାନ୍ତର କରାଯାଇଛି।। ଆଗକୁ ସ୍ବାଧୀନତା ଦିବସ ଥିବାରୁ ସରକାର ସମସ୍ତ ରାଜ୍ୟରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦେଶର ସମସ୍ତ ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଅଗଷ୍ଟ ୧୦ରୁ ୨୦ ପର୍ଯ୍ୟନ୍ତ କୌଣସି ଲୋକଙ୍କୁ ବିମାନବନ୍ଦରକୁ ପୂରାଇ ଦିଆଯିବ ନାହିଁ।‌ କେବଳ ଉପଯୁକ୍ତ ଟିକଟ ରଖିଥିବା ଯାତ୍ରୀମାନଙ୍କୁ ହିଁ ବିମାନବନ୍ଦରକୁ ପ୍ରବେଶ କରିବାକୁ ଅନୁମତି ମିଳିବ।

ମୁମ୍ବାଇ‌ ଏବଂ ପଂଜାବ ଉପରେ ସର୍ବାଧିକ ସତର୍କ ନଜର ରହିଛି। ଏହି ଦୁଇ ରାଜ୍ୟର ସମସ୍ତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସେପଟେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରୁଛି। ଗତକାଲି ପାକିସ୍ତାନ ରାଜୌରି ଜିଲ୍ଲାର ସୁନ୍ଦରବନି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିବର୍ଷା ସହ ମୋର୍ଟାର ମାଡ଼ କରିଥିଲା।

ସମ୍ବନ୍ଧିତ ଖବର