ଖଣ୍ଡେ କାଗଜ ଦେଖାଇ ଲୋକଙ୍କୁ ଭୁଁଆ ବୁଲାଉଛନ୍ତି ମମତା ଦିଦି: ଶାହା

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ବିଜେପି ପକ୍ଷରୁ ହାଓଡାରେ ଆଜି ଏକ ରାଲିର ଆୟୋଜନ କରାଯାଇଥିଲା | ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି | ରାଲିରେ ଶାହା କହିଛନ୍ତି ଯେ ମମତା ବାନାର୍ଜୀ ପଶ୍ଚିମବଙ୍ଗଙ୍କୁ ଆଗକୁ ନେବା ବଦଳରେ ପଛକୁ ନେଇଯାଇଛନ୍ତି | ଶାହା ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗରେ ଯଦି ବିଜେପି ସରକାର ଗଠନ କରିବ ତେବେ କ୍ୟାବିନେଟର ପ୍ରଥମ ବୈଠକରେ ଆୟୁଷ୍ମାନ ଭାରତକୁ ଲାଗୁ କରାଯିବ |

ଶାହା କହିଛନ୍ତି ଯେ,’ଦିଦି ପଶ୍ଚିମବଙ୍ଗର ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଦେଉନାହାନ୍ତି | କାରଣ ଏହି ଯୋଜନା ମୋଦୀ ସରକାର ଆରମ୍ଭ କରିଛନ୍ତି | କିଛି ଦିନ ତଳେ ମମତା ଦିଦି ଏକ ଚିଠି ପଠାଇ କିସାନ ସମ୍ମାନ ନିଧି ଯୋଜନା ଲାଗୁ କରିବାକୁ କହିଥିଲେ | ଦିଦି ଆପଣ କାହାକୁ ଭୁଆଁ ବୁଲାଉଛନ୍ତି | କିସାନ ସମ୍ମାନ ନିଧି ଯୋଜନା ଲାଗୁ କରିବାକୁ ହେଲେ କେବଳ ଖଣ୍ଡେ କାଗଜ ନ ପଠାଇ କୃଷକଙ୍କ ତାଲିକା, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆବଶ୍ୟକ | କିନ୍ତୁ ଦିଦି କିଛି ପଠାଇନାହାନ୍ତି’ |

ଅନୁପ୍ରବେଶ ମାମଲାରେ ତୃଣମୂଳ କଂଗ୍ରେସ ସରକାରକୁ ଟାର୍ଗେଟ କରି ଶାହା କହିଛନ୍ତି ଯେ;’ ମମତା ଦିଦି ପଶ୍ଚିମବଙ୍ଗର ମାଟିକୁ ରକ୍ତରଞ୍ଜିତ କରିଛନ୍ତି | ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କୁ ପ୍ରବେଶ କରାଇବାରେ ମମତା ଦିଦି ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି | ଏହି ସବୁ ଅନୁପ୍ରବେଶକାରୀଙ୍କୁ ରୋକିବାରେ କେବଳ ବିଜେପି ସରକାର ହିଁ ସଫଳ ହେବ’ |

ସମ୍ବନ୍ଧିତ ଖବର