ଶାହବାଜ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ: ଭୋଟ୍‌ ପୂର୍ବରୁ ପ୍ରତିଦ୍ବନ୍ଦ୍ବିତାରୁ ଓହରିଗଲେ କୁରେସି, ପିଟିଆଇର ସବୁ ସାଂସଦଙ୍କ ଇସ୍ତଫା

ଶପଥ ଗ୍ରହଣ ପୂର୍ବରୁ ପାକ୍‌ ରାଷ୍ଟ୍ରପତି ଅସୁସ୍ଥ

ଇସ୍‌ଲାମାବାଦ: ପାକିସ୍ତାନରେ ଆଜିଠାରୁ ‘ଶାହବାଜ’ ଯୁଗ ଆରମ୍ଭ ହୋଇଛି । ପାକିସ୍ତାନର ନ୍ୟାସନାଲ ଆସେମ୍ଲିରେ ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନୱାଜ (ପିଏମ୍‌ଏଲ୍‌-ଏନ୍‌)ର ମୁଖ୍ୟ ଶାହବାଜ ସରିଫ୍‌ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ସାନଭାଇ ୭୦ ବର୍ଷୀୟ ଶାହବାଜଙ୍କୁ ଆଜି ୨୩ତମ ପ୍ରଧାନମନ୍ତ୍ରୀ ଭାବେ ସିନେଟ୍‌ ଅଧ୍ୟକ୍ଷ ସାଦିକ୍‌ ସଂଜ୍‌ରାନି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶାହବାଜ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସହ ପ୍ରାୟ ୧ ମାସ ଧରି ଦେଶରେ ଚାଲିଥିବା ରାଜନୈତିକ ଡ୍ରାମାର ପରିସମାପ୍ତି ଘଟିଛି। ଶାହବାଜଙ୍କ ସମର୍ଥନରେ ଆଜି ୧୭୪ଟି ଭୋଟ୍‌ ପଡ଼ିଥିଲା। ଅନ୍ୟପକ୍ଷରେ ତାଙ୍କ ବିରୋଧରେ କୌଣସି ପ୍ରାର୍ଥୀ ନଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପାର୍ଟି ପିଟିଆଇ ପକ୍ଷରୁ ଶାହ ମହମୁଦ କୁରେସି ପ୍ରଥମେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ, କିନ୍ତୁ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ସେ ସାଂସଦ ପଦରୁ ଇସ୍ତଫା ଦେବା ସହ ପ୍ରଧାନମନ୍ତ୍ରୀ ପଦ ପାଇଁ ନର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ। ଇମ୍ରାନ୍‌ଙ୍କ ଦଳ ପିଟିଆଇ ଆଜି ପ୍ରଧାନମନ୍ତ୍ରୀ ନିର୍ବାଚନକୁ ବହିଷ୍କାର କରିଥିଲା ଏବଂ ଦଳର ସମସ୍ତ ସାଂସଦ ନ୍ୟାସନାଲ ଆସେମ୍ଲିରୁ ଇସ୍ତଫା ଦେଇଥିଲେ।

ସାଂସଦମାନଙ୍କ ସହିତ ଉପବାଚସ୍ପତି କାସିମ ସୁରି ମଧ୍ୟ ଇସ୍ତଫା ଦେଇଥିଲେ। କାସିସ ସୁରି ପିଏମ୍‌ଏଲ୍‌-ଏନ୍‌ ନେତା ଅୟାଜ ସାଦିକ୍‌ଙ୍କୁ ଗୃହରେ ଅଧ୍ୟକ୍ଷତା କରିବା ପାଇଁ କହିଥିଲେ। ଏହାପରେ ସାଦିକ୍‌ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ। ଗୃହରେ ଶାହବାଜଙ୍କର ବିଜୟ ହେବାମାତ୍ରେ ସମର୍ଥକ ସାଂସଦମାନେ ତାଙ୍କ ସପକ୍ଷରେ ସ୍ଲୋଗାନ ଦେଇ ଜୋର୍‌ଦାର ସ୍ବାଗତ କରିଥିଲେ ଏବଂ ଏହାପରେ ସେ ବାଚସ୍ପତିଙ୍କ ଅନୁରୋଧକ୍ରମେ ଶାସକ ଦଳ ପାଇଁ ଉଦ୍ଦିଷ୍ଟ ଆସନରେ ବସିଥିଲେ। ଇମ୍ରାନ୍‌ ସରକାରରେ ବିଦେଶ ମନ୍ତ୍ରୀ ରହିଥିବା ଶାହ ମହମୁଦ କୁରେସି କହିଛନ୍ତି ଯେ ଇମ୍ରାନ୍‌ ଖାନ୍‌ ତାଙ୍କ ଶାସନରେ ପାକିସ୍ତାନର ଗରିମାକୁ କାଏମ ରଖିଥିଲେ। ଏବେ ପାକିସ୍ତାନ ଦାସତ୍ବର ରାସ୍ତା ଆପଣାଇଛି ଏବଂ ଦେଶବାସୀଙ୍କୁ ବଡ଼ ଝଟ୍‌କା ଲାଗିଛି। ଅନ୍ୟପକ୍ଷରେ ଇମ୍ରାନ୍‌ ଆଜି ତାଙ୍କର ମେଣ୍ଟ ସହଯୋଗୀମାନଙ୍କୁ ଏକଜୁଟ କରିବା ପାଇଁ କରିଥବା ପ୍ରୟାସ ବିଫଳ ହୋଇଛି। ମେଣ୍ଟର ଅନ୍ୟତମ ସହଯୋଗୀ ଜିଡିଏର ସଦସ୍ୟମାନେ ନ୍ୟାସନାଲ ଆସେମ୍ଲିରୁ ଇସ୍ତଫା ଦେଇନାହାନ୍ତି।

ଶପଥ ଗ୍ରହଣ ପୂର୍ବରୁ ପାକ୍‌ ରାଷ୍ଟ୍ରପତି ଅସୁସ୍ଥ
ଇସ୍‌ଲାମାବାଦ: ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଆଲଭି ଆଜି ଅଚାନକ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବା ଶାହବାଜ ସରିଫ୍‌ଙ୍କୁ ରାଷ୍ଟ୍ରପତି ଆଲ୍‌ଭି ରାତି ୮ଟା ୩୦ରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା କାର୍ଯ୍ୟକ୍ରମ ଥିଲା। ତେବେ ଏହାର ଘଣ୍ଟାଏ ପୂର୍ବରୁ ସେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ଏକ ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କିଛିଦିନ ବିଶ୍ରାମ ନେବାପାଇଁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଶାହବାଜଙ୍କ ଶପଥ ଗ୍ରହଣ ୧ ଘଣ୍ଟା ବିଳମ୍ବ ହୋଇଥିଲା ଏବଂ ସିନେଟ୍‌ ଅଧ୍ୟକ୍ଷ ସାଦିକ୍‌ ସଂଜ୍‌ରାନି ଶପଥ ପାଠ କରାଇଥିଲେ।

ସମ୍ବନ୍ଧିତ ଖବର