ଚଣ୍ଡୀଗଡ଼ରେ ଅମିତ ଶାହାଙ୍କୁ ଭେଟିଲେ ମୁସେୱାଲାଙ୍କ ପରିବାର, ହାତ ଯୋଡ଼ି କାନ୍ଦି ପକାଇଲେ ସିଦ୍ଧୁଙ୍କ ବାପା

ଚଣ୍ଡୀଗଡ଼: ଦିବଂଗତ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ପିତାମାତା ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଚଣ୍ଡିଗଡ଼ରେ ଦୁହେଁ ଶାହାଙ୍କୁ ଭେଟି ପୁଅ ପାଇଁ ନ୍ୟାୟ ଭିକ୍ଷା କରିଥିବା ଜଣାପଡ଼ିଛି। ୧୦-୧୫ମିନିଟ ପର୍ଯ୍ୟନ୍ତ ମୁସେୱାଲାଙ୍କ ପିତାମାତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ତଦନ୍ତ ନେଇ ଆଲୋଚନା କରିଥିଲେ। ​​

ଜାତୀୟ ଗଣମାଧ୍ୟମ ମୁତାବକ, ମୁସେୱାଲାଙ୍କ ପରିବାର ସଦସ୍ୟ ଶାହାଙ୍କୁ ଭେଟି ହତ୍ୟା ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି। ବୈଠକ ପରେ ମୁସେୱାଲାଙ୍କ ପରିବାର ସଦସ୍ୟ ଘରକୁ ଫେରିଛନ୍ତି। ଏହା ପୂର୍ବରୁ ମୁସେୱାଲାଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ମାନସା ଜିଲ୍ଲାସ୍ଥିତ ପୈତୃକ ଗାଁ ମୁସାକୁ ଯାଇ ମୁସେୱାଲାଙ୍କ ପରିବାରର ସଦସ୍ୟମାନଙ୍କ ନିକଟରେ ଶୋକବ୍ୟକ୍ତ କରିଥିଲେ ମାନ୍।

ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟେ ଦିନ ପରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବାରୁ ଏହି ହତ୍ୟାକାଣ୍ଡ ପାଇଁ ଆପ୍ ସରକାରଙ୍କୁ ଦାୟୀ କରାଯାଉଥିବା ବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ପଞ୍ଜାବ ସରକାର ନୂଆ, କିନ୍ତୁ ଏହି ହତ୍ୟାକାଣ୍ଡର ସମାଧାନ ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି। ହତ୍ୟାକାରୀମାନଙ୍କୁ ଧରିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି ଏହାପୂର୍ବରୁ ପଟିଆଲା ହିଂସା ଏବଂ ମୋହାଲି ବୋମା ବିସ୍ଫୋରଣ ଘଟିଥିଲା ​​ଯାହାର ସମାଧାନ ୪୮ ଘଣ୍ଟା ମଧ୍ୟରେ ହୋଇଥିଲା | ବିରୋଧୀ ଦଳ ଏବଂ ସମସ୍ତଙ୍କୁ ଏକାଠି ମିଶି ପଞ୍ଜାବକୁ ଆଗକୁ ନେବାକୁ ପଡିବ। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର