ସିଦ୍ଧୁଙ୍କୁ ରୋକଠୋକ ଶୁଣାଇଲା କଂଗ୍ରେସ: କ୍ୟାପ‌ଟେନ୍‌ଙ୍କ ନେତୃତ୍ବରେ ହିଁ ଦଳ ନିର୍ବାଚନ ଲଢ଼ିବ

ନୂଆଦିଲ୍ଲୀ: ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ବରେ ହିଁ କଂଗ୍ରେସ ଆଗାମୀ ୨୦୨୨ ପଂଜାବ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଆଜି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ସ୍ପଷ୍ଟ କରିଛନ୍ତି। ବରି‌ଷ୍ଠ କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି, କ୍ୟାପଟେନ୍‌ଙ୍କ ନେତୃତ୍ବରେ ହିଁ ଆମେ ନିର୍ବାଚନ ଲଢ଼ିବୁ। ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପାଇଁ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀର ନେତାମାନେ ଦାବି କରିଥିବା ବେଳେ ଆଜି ରାୱତ ଏ ବାବଦରେ କହିଛନ୍ତି, ଆବଶ୍ୟକ ହେଲେ ବିବାଦ ସୃଷ୍ଟି କରୁଥିବା ସିଦ୍ଧୁଙ୍କ ୨ ଉପଦେଷ୍ଟାଙ୍କୁ ହଟାଇ ଦିଆଯିବ ଏବଂ କୌଣସି ସାଲିସ ହେବନାହିଁ।

ଅମରିନ୍ଦରଙ୍କ ଇସ୍ତଫା ଦାବି କରୁଥିବା ନେତାଙ୍କ ମଧ୍ୟରେ ୪ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି। ୪ ମନ୍ତ୍ରୀଙ୍କ ସମେତ ୨୩ ବିଧାୟକ ଗତକାଲି ଏକ ବୈଠକ କରିଥିଲେ। ସେମାନଙ୍କ ଦାବି କ୍ୟାପଟେନ୍‌ ମୁଖ୍ୟମନ୍ତ୍ରୀ ପଦରୁ ହଟିବେ। ଆଜି ମଧ୍ୟ ୪ ମନ୍ତ୍ରୀ ଏହି ପ୍ରସଙ୍ଗରେ ବୈଠକ କରି ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ହିଁ ଦଳକୁ ସଫଳତା ମିଳିବ ବୋଲି କହିଛନ୍ତି। ତେବେ ଦଳ ଅମରିନ୍ଦରଙ୍କୁ ନେଇ ଆଜି ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିବାରୁ ସିଦ୍ଧୁ ଗୋଷ୍ଠୀ ଖୁବ୍‌ଶୀଘ୍ର ଏ ନେଇ ଏକ ବଡ଼ ବୈଠକ ଡକାଇବେ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ଆଗକୁ ରାଜ୍ୟ କଂଗ୍ରେସର ସଙ୍କଟ ପୁଣି ଜଟିଳ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର