ଆପଣଙ୍କୁ ମଧ୍ୟ ବିନା ଲକ୍ଷଣରେ କରୋନା ହୋଇ ଛାଡ଼ିଥାଇପାରେ! ଗବେଷଣାରୁ ମିଳିଲା ‘ସାଇଲେଣ୍ଟ୍‌ ଇନ୍‌ଫେକ୍ସନ’ର ନୂଆ ତଥ୍ୟ

ୱାଶିଂଟନ: କରୋନା ଭାଇରସ୍‌କୁ ନେଇ ପୂର୍ବରୁ ହୋଇଥିବା ବିଭିନ୍ନ ଗବେଷଣାରୁ ଭିନ୍ନ ଭିନ୍ନ ତଥ୍ୟ ହସ୍ତଗତ ହୋଇଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ନୂଆ ତଥ୍ୟ ଜାଣିବାକୁ ମିଳିଛି। ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଅନେକ ଲୋକଙ୍କ ଭିତରେ ବିନା ଲକ୍ଷଣରେ ବି କରୋନା ଭାଇରସ୍‌ ଥାଇପାରେ।

ଏହା ନିହାତି ଭାବେ ଏକ ଭଲ ଖବର ଯେ ଏହି ଭାଇରସ୍‌ ଅର୍ଥାତ, ଯାହାକୁ ଗବେଷକମାନେ ‘ସାଇଲେଣ୍ଟ୍‌ ଇନ୍‌ଫେକ୍ସନ’ ବୋଲି କହୁଛନ୍ତି ତାହା ବିଶେଷ କାହାର କ୍ଷତି କରିବ ନାହିଁ। ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତଙ୍କ ପାଖ ଲୋକ ମଧ୍ୟ ବିଶେଷ ପ୍ରଭାବିତ ହେବେ ନାହିଁ। ବିଶେଷ କରି ରୋଗ ପ୍ରତିରୋଧକ ଶକ୍ତି ବେଶି ଥିବା ବ୍ୟକ୍ତିଙ୍କଠାରେ ଏହି ‘ସାଇଲେଣ୍ଟ୍‌ ଇନ୍‌ଫେକ୍ସନ’ ଦେଖାଯାଇଥାଏ।

ଗତ ସପ୍ତାହରେ ହସ୍ତଗତ ହୋଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବୋଷ୍ଟନ୍‌ର ଗୃହହୀନଙ୍କ ପାଇଁ ଥିବା ଏକ ଆଶ୍ରୟସ୍ଥଳୀ, ଆମେରିକା ନୌସେନାର ବିମାନବାହୀ ଜାହଜ, ନ୍ୟୁୟର୍କ ହସ୍ପିଟାଲ୍‌ରେ ଥିବା ଜଣେ ଗର୍ଭବତୀ ମହିଳା, ବିଭିନ୍ନ ୟୁରୋପୀୟ ଦେଶ ଓ କାଲିଫର୍ଣ୍ଣିଆରେ ଏହି ‘ସାଇଲେଣ୍ଟ୍‌ ଇନ୍‌ଫେକ୍ସନ’ ଦେଖିବାକୁ ମିଳିଛି।

ଗତ ସପ୍ତାହରେ ହୋଇଥିବା ଏହି ଗବେଷଣାରୁ ଆମେରିକାର ବିଭିନ୍ନ ଅଞ୍ଚଳରୁ ଲକ୍ଷଣ ନଥିବା କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏ ନେଇ ହେଡ୍‌ ଅଫ୍‌ ୟୁଏସ୍‌ ସେଣ୍ଟର୍‌ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ ପକ୍ଷରୁ ଜାଣିବାକୁ ମିଳିଛି ଯେ ୨୫ ପ୍ରତିଶତ ସଂକ୍ରମିତଙ୍କ ମଧ୍ୟରେ ହୁଏତ କରୋନା ବିନା ଲକ୍ଷଣରେ ହୋଉଥାଇପାରେ। ଉଲ୍ଲେଖଯୋଗ୍ୟ, ପୂରା ବିଶ୍ବରେ ସମୁଦାୟ ୨.୩ ମିଲିୟନ୍‌ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୬୦ ହଜାର ଲୋକଙ୍କର ଜୀବନ ଗଲାଣି।

ସମ୍ବନ୍ଧିତ ଖବର