ନ୍ୟୁ ମେକ୍ସିକୋ (ଆମେରିକା): ଭାରତ ଜନ୍ମିତ ମହିଳା ସିରିଶା ବାନ୍ଦଲା ଆଜି ଆମେରିକାର ନ୍ୟୁ ମେକ୍ସିକୋରୁ ମହାକାଶକୁ ସଫଳତାର ସହ ଯାତ୍ରା କରି ୯୦ ମିନିଟ୍ରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବ୍ରିଟେନର ବିଶିଷ୍ଟ ଉଦ୍ୟୋଗୀ ତଥା ଭର୍ଜିନ ଗାଲାକ୍ଟିକ୍ର ମୁଖ୍ୟ ରିଚାର୍ଡ ବ୍ରାନସନ୍ ଓ ଅନ୍ୟ ୪ ଜଣଙ୍କ ସହିତ ସେ ଅନ୍ତରୀକ୍ଷ ଅଭିମୁଖେ ରବିବାର ରୋମାଞ୍ଚକର ଯାତ୍ରା କରିଥିଲେ। କମ୍ପାନିର ୟୁନିଟି ୨୨ ମହାକାଶ ଯାନରେ ସେମାନେ ଉଡ଼ାଣ କରିଥିଲେ। କଳ୍ପନା ଚାୱଲା ଏବଂ ସୁନିତା ୱିଲିୟମ୍ସଙ୍କ ପରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଜନ୍ମିତ ସିରିଶା ତୃତୀୟ ଭାରତୀୟ ବଂଶୋଦ୍ଭବ ମହିଳାଭାବେ ମହାକାଶକୁ ଯାଇଛନ୍ତି। ଭାରତୀୟ ସମୟ ସଂଧ୍ୟା ୬ଟା ୩୦ରେ ମହାକାଶ ଯାନର ଉଡ଼ାଣ ଆରମ୍ଭ ହେବାକୁ ଥିଲା। କିନ୍ତୁ ଖରାପ ପାଗ ଯୋଗୁ ରାତି ପ୍ରାୟ ୮ଟା ବେଳେ ଏହା ଯାଇଥିଲା। ୭୦ ବର୍ଷୀୟ ରିଚାର୍ଡ ନ୍ୟୁ ମେକ୍ସିକୋ ମହାକାଶ କେନ୍ଦ୍ରରେ ଏକ ସାଇକଲ ଚଳାଇ ଆସି ପହଞ୍ଚିଥିଲେ। ଏହି ମହାକାଶ ଯାତ୍ରାରେ ସିରିଶାଙ୍କ ସହିତ ଅନ୍ୟ ଜଣେ ମହିଳା ଯାତ୍ରୀ ମଧ୍ୟ ରହିଥିଲେ। ମହାକାଶକୁ ଯିବାର କିଛି ସମୟ ପୂର୍ବରୁ କମ୍ପାନି ପକ୍ଷରୁ ଏକ ଟ୍ବିଟ୍ କରାଯାଇଥିଲା। ସେଥିରେ ଲେଖାଯାଇଥିଲା ମହାକାଶକୁ ଯାତ୍ରା କରିବାର ଏହା ଏକ ସୁନ୍ଦର ଦିନ।
Sambad is now on WhatsApp
Join and get latest news updates delivered to you via WhatsApp
ନ୍ୟୁ ମେକ୍ସିକୋ ମହାକାଶ କେନ୍ଦ୍ରରେ ୟୁନିଟି ୨୨ର କ୍ରିଉମାନେ ପହଞ୍ଚି ସାରିଛନ୍ତି। ଏହି ଯାତ୍ରାରେ ମହାକାଶଚାରୀମାନେ ଜିରୋ ଗ୍ରାଭିଟି ବା ମାଧ୍ୟାକର୍ଷଣ ଶକ୍ତି ଶୂନ୍ୟ ଅଞ୍ଚଳର ଅଭିଜ୍ଞତା ନେଇଥିଲେ। ଅର୍ଥାତ୍ ସେମାନେ ନିଜର ଓଜନ ନ ଥିବା ଭଳି ଅନୁଭୂତି ହାସଲ କରିଥିଲେ। ଏହାପରେ ସେମାନେ ପୃଥିବୀକୁ ଫେରିଆସିଥିଲେ। ମହାକାଶକୁ ଧନୀକଙ୍କ ଯାତ୍ରା ରିଚାର୍ଡଙ୍କ ଠାରୁ ଆରମ୍ଭ ହୋଇଛି। ଏହାପରେ ଆସନ୍ତା ୨୦ ତାରିଖରେ ଆମାଜନ କମ୍ପାନି ମୁଖ୍ୟ ଜେଫ ବେଜୋସ୍ ତାଙ୍କ ମହାକାଶ କମ୍ପାନି ବ୍ଳୁ ଅରିଜିନ୍ର ନ୍ୟୁ ସେଫର୍ଡ ଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିବେ। ଆପୋଲୋ ଯାନ ଚନ୍ଦ୍ରରେ ପହଞ୍ଚିବାର ୫୨ତମ ବର୍ଷ ପୂର୍ତ୍ତି ଆସନ୍ତା ୨୦ ତାରିଖରେ ହେଉଥିବାରୁ ସେ ଏହି ଦିନକୁ ଚୟନ କରିଛନ୍ତି। ରିଚାର୍ଡଙ୍କ ଭର୍ଜିନ ଗାଲାକ୍ଟିକ୍ କମ୍ପାନିରେ ସିରିଶା ସରକାରୀ ବ୍ୟାପାର ଏବଂ ଗବେଷଣା କାର୍ଯ୍ୟର ଉପସଭାପତି ଭାବେ ଦାୟିତ୍ବ ସମ୍ଭାଳୁଛନ୍ତି। ସିରିଶାଙ୍କୁ ୪ ବର୍ଷ ହୋଇଥିବାବେଳେ ତାଙ୍କ ପରିବାର ଆମେରିକା ଯାଇଥିଲେ। ଫଳରେ ମହାକାଶ ବିଜ୍ଞାନୀ ହେବା ପାଇଁ ଥିବା ତାଙ୍କର ପିଲାଦିନର ସ୍ବପ୍ନ ଆଜି ସାକାର ହୋଇଛି।