ଲାଲୁଙ୍କ ଟେନସନ ବଢିଯାଉଛି… ଏପଟେ ଜେଲରୁ ମୁକୁଳିପାରୁନାହାନ୍ତି, ସେପଟେ ପୁଅ କଥା ମାନୁନି

ରାଞ୍ଚି : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଏବେ ଟେନସନ ବଢିଯାଇଛି । ଗୋଟିଏ ପଟେ ଜେଲରୁ ମୁକୁଳିପାରୁନାହାନ୍ତି, ସେପଟେ ପୁଅ ତେଜପ୍ରତାପ ବାରମ୍ବାର ବୁଝାଇବା ସତ୍ତ୍ୱେ ନିଜ ପତ୍ନୀକୁ ଛାଡ଼ପତ୍ର ଦେବାକୁ ଅଡି ବସିଛି । ଏଥିପାଇଁ ରାଞ୍ଚିରେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଥିବା ଲାଲୁଙ୍କ ବ୍ଲଡପ୍ରେସର ବଢିଯାଉଛି ବୋଲି ଡାକ୍ତରମାନେ କହୁଛନ୍ତି । ନିଜ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ପାଇଁ ଆବେଦନ କରିବା ପରେ ତେଜପ୍ରତାପ ସିଧାସଳଖ ରାଞ୍ଚିଯାଇ ଲାଲୁପ୍ରସାଦଙ୍କୁ ଭେଟି ଏ ସଂପର୍କରେ ଜଣାଇଥିଲେ । ବାପପୁଅଙ୍କ ମଧ୍ୟରେ ଏ ସଂପର୍କରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ଚାଲିଥିଲା । ଏହି ସମୟରେ ଛାଡପତ୍ର ନ ଦେବା ପାଇଁ ଲାଲୁ ନିଜ ପୁଅକୁ ବୁଝାଇଥିଲେ ବୋଲି ଜଣାପଡିଛି । କିନ୍ତୁ ପୁଅ ବୁଝୁନଥିବାରୁ ଲାଲୁଙ୍କ ବ୍ଲଡପ୍ରେସର ବଢିଯାଉଛି । ଏହା ତାଙ୍କ ସ୍ୱାସ୍ଥ୍ୟପାଇଁ ହିତକର ନୁହେଁ ବୋଲି ଡାକ୍ତର କହିଛନ୍ତି ।
ସୂଚନାଯୋଗ୍ୟ ମାତ୍ର ୬ ମାସ ତଳେ ବିବାହ କରିଥିବା ଲାଲୁଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି । ପତ୍ନୀଙ୍କ ସହ ମନ ମିଶୁନଥିବାରୁ ସେ ତାଙ୍କଠାରୁ ଅଲଗା ହେବାପାଇଁ ଚାହୁଁଛନ୍ତି ବୋଲି କୋର୍ଟଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ଇଚ୍ଛା ବିରୋଧରେ ଏହି ବିବାହ ହୋଇଥିଲା । ସେ ଜଣେ ସରଳ ସିଧାସାଧା ଲୋକ, କିନ୍ତୁ ତାଙ୍କ ପତ୍ନୀ ଏଶ୍ୱର୍ଯ୍ୟା ଜଣେ ଦିଲ୍ଲୀରେ ପଢିଥିବା ଆଧୁନିକା ସହରୀ ମହିଳା । ତାଙ୍କ ସହ ମନ ମିଳିପାରି ନଥିଲା । ଏଣୁ ସେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର