କୁମ୍ଭମେଳା: ଶାହୀ ସ୍ନାନରେ ସାମିଲ୍‌ ହେଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଟ୍ଵିଟ୍‌ କଲେ ଫଟୋ

ପ୍ରୟାଗରାଜ୍‌: ଆଜି ଆରମ୍ଭ ହୋଇଛି କୁମ୍ଭମେଳା। ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ସଙ୍ଗମରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ବି ସାମିଲ୍‌ ହୋଇଛନ୍ତି ଶ୍ରଦ୍ଧାଳୁଙ୍କ ମଧ୍ୟରେ। ଦୀର୍ଘ ୪୯ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କୁମ୍ଭମେଳା ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ଏକ ପବିତ୍ର ଉତ୍ସବ ହୋଇଥିବା ବେଳେ ପର୍ଯ୍ୟଟନ ଦୃଷ୍ଟିରୁ ଏହା ଏକ ଅନ୍ତର୍ଜାତୀୟ ସାଂସ୍କୃତିକ ସମାରୋହ ଭାବେ ପରିଗଣିତ ହୋଇଥାଏ। ଦେଶର କୋଣ-ଅନୁକୋଣରେ ବସବାସ କରୁଥିବା ସାଧୁସନ୍ଥ ସମାବେଶ କୁମ୍ଭମେଳାରେ ହୋଇଥାଏ।

 

 

ମଙ୍ଗଳବାର ଭୋରରୁ ଅନୁଷ୍ଠିତ ହୋଇଛି ଶାହୀ ସ୍ନାନ। ପ୍ରୟାଗରାଜରେ ଗଙ୍ଗା-ଯମୁନା ଓ ସରସ୍ୱତୀର ସଙ୍ଗମରେ ‘ହରହର ମହାଦେବ’ ଧ୍ୱନୀ ଦେଇ ସାଧୁସନ୍ଥଙ୍କ ସ୍ନାନରୁ ଆରମ୍ଭ ହୋଇଛି କୁମ୍ଭମେଳା। ମକର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଥାଏ ଶାହୀ ସ୍ନାନ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ‘ହର୍‌ ହର୍‌ ଗଙ୍ଗେ’ ଲେଖି ତାଙ୍କର ଶାହୀ ସ୍ନାନରେ ସାମିଲ୍‌ ହୋଇଥିବାର ଫଟୋ ଟ୍ଵିଟରରେ ପୋଷ୍ଟ କରିଛନ୍ତି।

ତ୍ରିବେଣୀ ସଙ୍ଗମର ୫.୫ କିଲୋମିଟର ଦୀର୍ଘ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୩୫ଟି ସ୍ନାନ ଘାଟ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୩୫ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ଜଣାଯାଇଛି।

ବିଶ୍ୱାସ ରହିଛି କି, କୁମ୍ଭମେଳା ସମୟରେ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କଲେ ପାପ ନାଶ ହେବା ସହ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ।

ସମ୍ବନ୍ଧିତ ଖବର