ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରାକୁ ଅନୁମତି ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତାବିତ ରଥଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ ମନାକରିଦେଇଛନ୍ତି । ରଥଯାତ୍ରାବେଳେ ହିଂସା ହେବ ବୋଲି ରାଜ୍ୟ ସରକାର କରୁଥିବା ଆଶଙ୍କା ଅମୂଳକ ନୁହେଁ ବୋଲି ପ୍ରଧାନବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ ରାୟ ଦେଇଛନ୍ତି । ବିଜେପି ରଥଯାତ୍ରା ବଦଳରେ ରାଜ୍ୟସରକାରଙ୍କ ଅନୁମତି କ୍ରମେ ଏକ ରାଜନୈତିକ ସଭା କରୁ ବୋଲି ଖଣ୍ଡପୀଠ କହିଛନ୍ତି । ଏହା ଫଳରେ ପଶ୍ଚିମବଙ୍ଗରେ ରଥଯାତ୍ରା କରିବା ଲାଗି ବିଜେପିର ଯୋଜନାକୁ ଶକ୍ତ ଧକ୍କା ଲାଗିଛି । ଗତ ଡିସେମ୍ବର ୨୨ରେ କାଲକାଟା ହାଇକୋର୍ଟ ବିଜେପିର ରଥଯାତ୍ରାକୁ ଅନୁମତି ଦେବାକୁ ମନା କରିବା ପରେ ଏହି ରାୟକୁ ଚ୍ୟାଲେଞ୍ଜ କରି ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ଗତ ଡିସେମ୍ବର ୨୦ରେ କାଲକାଟା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଯାତ୍ରା ଆୟୋଜନ ପାଇଁ ବିଜେପିକୁ ଅନୁମତି ଦେଇଥିବାବେଳେ ଏହି ରାୟକୁ ତାପର ଦିନ ଅର୍ଥାତ ୨୧ରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ । ପୂର୍ବରୁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାର ବିଜେପିକୁ ଅନୁମତି ଦେଇନଥିଲେ । ସାଂପ୍ରଦାୟିକ ସଦଭାବ ବିଗିଡିବା ଆଶଙ୍କା କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଜେପି ହୋଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ସମ୍ବନ୍ଧିତ ଖବର