ସୋସିଆଲ ମିଡ଼ିଆର ଦୁରୁପଯୋଗ କରାଯାଉଛି: ସୋନିଆ

ନିର୍ବାଚନ ବିଜ୍ଞାପନରେ ଫେସ୍‌ବୁକ୍ ବିଜେପିକୁ ରିହାତି ଦେଇଛି: ରିପୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଲୋକସଭାରେ ଫେସ୍‌ବୁକ୍, ଟ୍ବିଟର ଓ ଇନ୍‌ଷ୍ଟାଗ୍ରାମ୍ ଆଦି ସାମାଜିକ ଗଣମାଧ୍ୟମ ଉପରେ ବର୍ଷିଛନ୍ତି। ଆମ ଗଣତନ୍ତ୍ରକୁ ଅପହରଣ କରିବା ପାଇଁ ଏହିସବୁ ସୋସିଆଲ ମିଡ଼ିଆର ଦୁରୁପଯୋଗ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ବୁଧବାର ଲୋକସଭାରେ ଉଦ୍‌ବୋଧନ ଦେଇ ସେ କହିଲେ ଯେ, ଫେସ୍‌ବୁକ୍, ଟ୍ବିଟର ପରି ଅନ୍ତର୍ଜାତୀୟ କମ୍ପାନିଗୁଡ଼ିକୁ ବିଭିନ୍ନ ନେତା, ଦଳ ଓ ସେମାନଙ୍କ ପ୍ରକ୍ସିମାନଙ୍କ ଦ୍ବାରା ରାଜନୈତିକ ନ୍ୟାରେଟିଭ୍‌ଗୁଡ଼ିକୁ ରୂପ ଦେବା ପାଇଁ ଅଧିକରୁ ଅଧିକ ବ୍ୟବହାର କରାଯାଉଛି। ଏହି କମ୍ପାନିଗୁଡ଼ିକ ସବୁ ଦଳ ପାଇଁ ସମାନ ସୁବିଧ‌ାସୁଯୋଗ ଦେଉନାହାନ୍ତି। ସାମାଜିକ ସଦ୍‌ଭାବ ନଷ୍ଟ କରିବା ଓ ଘୃଣାର ପ୍ରସାର ପାଇଁ ଫେସ୍‌ବୁକ୍ ଆଦି ମିଡ଼ିଆକୁ ବ୍ୟବହାର କରାଯାଉଛି। ଏଗୁଡ଼ିକ ପ୍ରଭାବରେ ଯୁବ ଓ ବୃଦ୍ଧ ମାନସ ଘୃଣାରେ ପରିପୂର୍ଣ୍ଣ ହୋଇ ରହୁଛି। ବଡ଼ ବଡ଼ କର୍ପୋରେସନ, ସାମାଜିକ ମିଡ଼ିଆ ସଂସ୍ଥା ଓ ଶାସକ ଦଳ ମଧ୍ୟରେ ଅନୈତିକ ମଧୁଚନ୍ଦ୍ରିକା ଚାଲିଥିବା ସୋନିଆ ଅଭିଯୋଗ କରିଥିଲେ। ଭାରତର ନିର୍ବାଚନୀ ରାଜନୀତି ଉପରେ ଫେସ୍‌ବୁକ୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମର ପ୍ରଭାବ ଓ ହସ୍ତକ୍ଷେପ ବନ୍ଦ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସୋନିଆ ଦାବି କରିଥିଲେ। ଯିଏ ବି ଶାସନ କ୍ଷମତାରେ ଥାନ୍ତୁ ନା କାହିଁକି, ଦଳ ଓ ରାଜନୀତିର ଊର୍ଦ୍ଧ୍ବରେ ଆମେ ଆମର ଗଣତନ୍ତ୍ର ଓ ସାମାଜିକ ସଦ୍‌ଭାବକୁ ରକ୍ଷା କରିବା ଉଚିତ ବୋଲି ସେ କହିଥିଲେ। ଇତିମଧ୍ୟରେ ରାହୁଲ ଗାନ୍ଧି ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଫେସ୍‌ବୁକ୍‌ର ଏକ ଛବି ସେୟାର କରିଥିଲେ, ଯାହାକୁ ବିଜେପି ନିଜର ମୁଖପତ୍ର ଭାବେ ବ୍ୟବହାର କରୁଛି।

ନୂଆଦିଲ୍ଲୀ: ବର୍ତ୍ତମାନ ସାମାଜିକ ଗଣମାଧ୍ୟମର ଯୁଗ। ବିଭିନ୍ନ ରାଜନୈତିକ ଦଳ ଫେସ୍‌ବୁକ୍ ପରି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନିଜର ବିଜ୍ଞାପନ ଦେଇ ନିର୍ବାଚନ ପ୍ରଚାର କରିଥାନ୍ତି। କିନ୍ତୁ ଫେସ୍‌ବୁକ୍ ଏଥିରେ ପାତରଅନ୍ତର କରୁଥିବା ଓ ନିର୍ବାଚନୀ ବିଜ୍ଞାପନରେ ବିଜେପିକୁ ଅଧିକ ରିହାତି ପ୍ରଦାନ କରୁଥିବା ଏକ ଅଣଲାଭଜନକ ମିଡ଼ିଆ ସଂସ୍ଥା ଦ ରିପୋର୍ଟର୍ସ କଲେକ୍ଟିଭ୍ (ଟିଆର୍‌ସି) ଏବଂ ସୋସିଆଲ ମିଡ଼ିଆରେ ରାଜନୈତିକ ବିଜ୍ଞାପନ ଉପରେ ଅନୁଧ୍ୟାନ କରୁଥିବା ରିସର୍ଚ୍ଚ ପ୍ରୋଜେକ୍ଟ ଆଡ୍‌.ୱାଚ୍ ପ୍ରକାଶ କରିଛନ୍ତି।

୨୦୧୯ ଫେବ୍ରୁଆରିରୁ ନଭେମ୍ବର ୨୦୨୦ ମଧ୍ୟରେ ଫେସ୍‌ବୁକ୍‌ରେ ପ୍ରକାଶିତ ୫୩୬,୦୭୦ ରାଜନୈତିକ ବିଜ୍ଞାପନ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଗୋଟିଏ ବିଜ୍ଞାପନ ପାଇଁ ଫେସ୍‌ବୁକ୍ ବିଜେପି, ଏହାର ପ୍ରାର୍ଥୀ ଓ ସମ୍ବନ୍ଧିତ ସଂସ୍ଥାଗୁଡ଼ିକଠାରୁ ୪୧,୮୪୪ ଟଙ୍କା (୫୪୬ ଡଲାର) ନେଇଥିବା ବେଳେ କଂଗ୍ରେସ, ଏହାର ପ୍ରାର୍ଥୀ ଓ ସହଯୋଗୀ ସଂସ୍ଥାଗୁଡ଼ିକଠାରୁ ୫୩,୭୭୬ ଟଙ୍କା (୭୦୨ ଡଲାର) ନେଇଛି। ଅର୍ଥାତ୍ ଫେସ୍‌ବୁକ୍ ବିଜେପିକୁ ୨୯ ପ୍ରତିଶତ ରିହାତି ପ୍ରଦାନ କରିଛି। ଟିଆର୍‌ସି ଓ ଆଡ୍‌.ୱାଚ୍‌ର ସୂଚନା ଅନୁସାରେ ରାଜନୈତିକ ବିଜ୍ଞାପନରେ ସବୁଠାରୁ ଅଧିକ ଖର୍ଚ୍ଚ କରିଛନ୍ତି ବିଜେପି ଓ କଂଗ୍ରେସ।

ସମ୍ବନ୍ଧିତ ଖବର