କେତେକ ଦେଶ ଚାହୁଁଛନ୍ତି ଏଫଏଟିଏଫ୍ ଖଣ୍ଡା ସବୁବେଳେ ପାକିସ୍ତାନ ଉପରେ ଝୁଲୁଥାଉ : ଭାରତକୁ ଇଙ୍ଗିତ କରି ପାକ୍ ମନ୍ତ୍ରୀଙ୍କ ବୟାନ

ଇସଲାମାବାଦ : ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ପୁଣି ଥରେ ପାକିସ୍ତାନକୁ ଧୂସର ତାଲିକାରେ ବଜାର ରଖିବାକୁ ନିଷ୍ପତ୍ତି ନେଇଛି । ତେବେ ଏଫଏଟିଏଫର ଏହି ନିଷ୍ପତ୍ତିକୁ ପାକିସ୍ତାନ ସରକାର ସମାଲୋଚନା କରିବା ସହ ଏହା ପଛରେ କେତେକ ନିର୍ଦ୍ଦିଷ୍ଟ ଦେଶକୁ ଦାୟୀ କରିଛନ୍ତି ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହେମୁଦ କୁରେସୀ କହିଛନ୍ତି ଯେ ୨୭ଟି ମାନଦଣ୍ଡରୁ ୨୬ଟି ପୂରଣ କରିବା ସତ୍ତ୍ବେ ପାକିସ୍ତାନକୁ ପୁଣି ଧୂଷର ତାଲିକାରେ ରଖାଯିବା ଦୂର୍ଭାଗ୍ୟଜନକ । ଏଫଏଟିଏଫ ଏକ ଟେକନିକାଲ ସଂସ୍ଥା ବା ରାଜନୈତିକ ସଂସ୍ଥା ତାହା ଜଣାପଡ଼ୁନାହିଁ । ଏଫଏଟିଏଫକୁ ରାଜନୈତିକ କାରଣରୁ ବ୍ୟବହାର କରାଯାଉଛି ଓ କେତେକ ଦେଶ ଚାହୁଁଛନ୍ତି ଯେ ପାକିସ୍ତାନ ମୁଣ୍ଡ ଉପରେ ସବୁବେଳେ ଏଫଏଟିଏଫ ଖଣ୍ଡା ଝୁଲୁଥାଉ । ଭାରତକୁ ଇଙ୍ଗିତ କରି ସେ ଏକଥା କହିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଏଫଏଟିଏଫ ଗତ ୨୦୧୮ରୁ ଗ୍ରେ (ଧୂସର) ତାଲିକାରେ ରଖିଛି । ଗତ କାଲି ପୁଣି ପାକିସ୍ତାନକୁ ଧୂଷର ତାଲିକାରେ ରଖିବାକୁ ଏଫଏଟିଏଫ ନିଷ୍ପତ୍ତି ନେଇଥିଲା ।

ସମ୍ବନ୍ଧିତ ଖବର