ସାଉଦି ଆରବ ଦୁର୍ନୀତି: ୧୦୬ ବିଲିୟନ ଡଲାର ବିନିମୟରେ ସବୁ ଅଭିଯୁକ୍ତ ଖଲାସ

ଦୁବାଇ: ସାଉଦି ଆରବର ୧୧ ରାଜକୁମାର ସମେତ ବହୁ ମନ୍ତ୍ରୀ ଓ ବ୍ୟବସାୟୀ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ବେଳେ ବିପୁଳ ଜୋରିମାନା ବିନିମୟରେ ସେମାନଙ୍କୁ ମୁକ୍ତ କରାଯାଇଥିବା ଜଣାପଡ଼ିଛି । ଏହି ଦୁର୍ନୀତି ଅଭିଯୁକ୍ତମାନଙ୍କଠାରୁ ଜୋରିମାନା ଓ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟାରେ ୧୦ ହଜାର ୬ ଶହ କୋଟି ଡଲାର ଆଦାୟ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି ବୋଲି ସାଉଦି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସାଉଦି ଏଟର୍ଣ୍ଣି ଜେନେରାଲ ସାଉଦ୍‌ ଅଲ୍‌ ମୋଜେବ କହିଛନ୍ତି ଯେ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତି ପାଇଁ ରାଜିନାମା ସରିଛି ଏବଂ କେଉଁଭଳି ଭାବେ ସମ୍ପତ୍ତି ଜବତ ହେବା ସେ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜବତ ସମ୍ପତ୍ତି ମଧ୍ୟରେ ରିୟଲ ଇଷ୍ଟେଟ୍‌ ସମ୍ପତ୍ତି, ବାଣିଜ୍ୟିକ ପ୍ରତିଷ୍ଠାନ, ନିରାପତ୍ତା ବଣ୍ଡ, ବ୍ୟାଙ୍କ ଜମା ଏବଂ ନଗଦ ଅର୍ଥ ସାମିଲ ରହିଛି। ତେବେ କେତେକ ଅଭିଯୁକ୍ତ ଏବେ ବି ଜେଲ୍‌ରେ ଅଛନ୍ତି ଏବଂ ସେମାନଙ୍କ ବିରୋଧରେ ଅନ୍ୟ ଅପରାଧିକ ମାମଲାର ବିଚାର ଚାଲିଛି ବୋଲି ସେ କହିଛନ୍ତି। ଗତ ସପ୍ତାହରେ ବିପୁଳ ଅର୍ଥ ଜୋରିମାନା ଦେଇ ମୁକୁଳିଥିବା ବ୍ୟକ୍ତିଙ୍କ ମଧ୍ୟରେ ସାଉଦି ରାଜକୁମାର ଅଲଓ୍ଵିଦ୍‌ ବିନ୍‌ ତଲାଲ ଅଛନ୍ତି।
ଦୁର୍ନୀତି ଅଭିଯୁକ୍ତ ସମସ୍ତ ରାଜକୁମାରଙ୍କ ମୁକ୍ତି ପାଇଁ ରାସ୍ତା ସଫା ହୋଇଥିଲେ ମଧ୍ୟ ଏ ବାବଦ ସଙ୍କଟକୁ କେନ୍ଦ୍ର କରି ସାଉଦି ରାଜ ପରିବାରରେ ସମସ୍ୟା ବଢ଼ିବାରେ ଲାଗିଛି। ସରକାର ଓ ପ୍ରଶାସନରୁ ଦୁର୍ନୀତି ହଟାଇବା ପାଇଁ କ୍ରାଉନ୍‌ ପ୍ରିନ୍‌୍‌ସ ମହମ୍ମଦ ବିନ୍‌ ସଲମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶାଳ ଦୁର୍ନୀତି ବିରୋଧୀ ଅଭିଯାନର ଭବିଷ୍ୟତ କ’ଣ ହେବେ ସେ ନେଇ କେତେକ ମହଲ ପ୍ରଶ୍ନ ଉଠାଇଛନ୍ତି। ଗତକବର୍ଷ ଦୁର୍ନୀତି ମାମଲାରେ ୧୧ ଯୁବରାଜ, ଅନେକ ମନ୍ତ୍ରୀ, ୫୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ ଶତାଧିକ ବ୍ୟବସାୟୀ ଗିରଫ ହୋଇଥିଲେ ଏବଂ ଏ ବାବଦ ଖୋଳତାଡ଼ରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ଦେଶରେ ସଂଗଠିତ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଶିଖରରେ ପହଞ୍ଚିବା ପରେ ଏଥିରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ ହୋଇଥିଲା। ରାଷ୍ଟ୍ରରେ ୧୦ ହଜାର କୋଟି ଡଲାର ( ପ୍ରାୟ ୬.୫ ଲକ୍ଷ କୋଟି ଟଙ୍କା) ହେରଫେର ହୋଇଥିବା ନେଇ ପ୍ରମାଣ ମିଳିବା ପରେ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଥିଲା ଏବଂ ରାଜକୁମାରମାନେ ମଧ୍ୟ ଏଥିରୁ ବାଦ ପଡ଼ିନଥିଲେ। ଏତେ ବିଶାଳ ପରିମାଣର ଦୁର୍ନୀତି ଯୋଗୁଁ ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ିଥିଲା।

ସମ୍ବନ୍ଧିତ ଖବର