ପ୍ରଥମ ଚନ୍ଦ୍ର ଅଭିଯାନ ଆରମ୍ଭ କଲା ଦକ୍ଷିଣ କୋରିଆ; ଭବିଷ୍ୟତ ପାଇଁ ଚନ୍ଦ୍ରରେ ଅବତରଣ ସ୍ଥଳ ଅନ୍ବେଷଣ କରିବ ‘ଡାନୁରି’
ସିଓଲ୍: ୨୦୩୦ ସୁଦ୍ଧା ଚନ୍ଦ୍ରରେ ଭବିଷ୍ୟତ ପାଇଁ ଅବତରଣସ୍ଥଳୀ ଖୋଜି ପାଇବା ପାଇଁ ମହାକାଶ ଯୋଜନା ଉପରେ ଗୁରୁତ୍ବାରୋପ କରିଥିବା ଦକ୍ଷିଣ କୋରିଆ ଆଜି ତା’ର ପ୍ରଥମ ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି।
ଆଜି ସକାଳ ୮.୦୮ରେ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ଅନ୍ତର୍ଗତ କେପ୍ କାନାଭେରାଲ୍ରେ ଥିବା ‘ୟୁ.ଏସ୍. ଫୋର୍ସ ଷ୍ଟେସନ୍’ରୁ କୋରୀୟ ପାଥ୍ଫାଇଣ୍ଡର୍ ଲୁନାର୍ ଅର୍ବିଟର୍ (ଛଦ୍ମନାମ ‘ଡାନୁରି’ ଯାହାର ଅର୍ଥ ‘ଚନ୍ଦ୍ରକୁ ଉପଭୋଗ’ କର) ‘ସ୍ପେସ୍ଏକ୍ସ୍’ର ‘ଫାଲ୍କନ୍୯’ ରକେଟ୍ଦ୍ବାରା ଉତ୍କ୍ଷେପଣ କରାଯାଇଛି ବୋଲି ଦକ୍ଷିଣ କୋରିଆର ବିଜ୍ଞାନ ମନ୍ତ୍ରାଳୟ କହିଛି।

ଉତ୍କ୍ଷେପଣ ହେବାର ୪୦ ମିନିଟ୍ ପରେ ୬୭୮ କେ.ଜି. ଓଜନବିଶିଷ୍ଟ ‘ଡାନୁରି’ ରକେଟ୍ରୁ ପୃଥକ୍ ହୋଇ ସକାଳ ପ୍ରାୟ ୯.୪୦ ମିନିଟ୍ ବେଳକୁ ‘ଗ୍ରାଉଣ୍ଡ୍ ଷ୍ଟେସନ୍’ ସହିତ ଯୋଗାଯୋଗ ଆରମ୍ଭ କରିଥିଲା।
ବିଜ୍ଞାନ ଉପମନ୍ତ୍ରୀ ଓହ୍ ସାଏ-ସେଓଗ୍ କହିଛନ୍ତି, ପ୍ରାପ୍ତ ସୂଚନାକୁ ବିଶ୍ଳେଷଣ କରି ଆମେ ସୁନିଶ୍ଚିତ ଯେ, ‘ଡାନୁରି’ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି। ଡିସେମ୍ବର ପୂର୍ବରୁ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ।
ବୁଧବାର ଦିନ ‘ଡୋନାରି’କୁ ଚନ୍ଦ୍ର ଅଭିଯାନରେ ପଠାଯିବାକୁ ଦିନ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ, ‘ସ୍ପେସ୍ଏକ୍ସ୍’ ରକେଟ୍ରେ ତ୍ରୁଟି ଦେଖା ଦେବାରୁ ତାହା ସମ୍ଭବପର ହେଲାନାହିଁ।
ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଦକ୍ଷିଣ କୋରିଆ ବିଶ୍ବର ୭ମ ଏବଂ ଏସିଆରେ ୪ର୍ଥ ରାଷ୍ଟ୍ରରେ ପରିଗଣିତ ହୋଇଛି। ଚନ୍ଦ୍ରାଭିଯାନ ଚଳାଇଥିବା ଏସିଆର ବାକି ୩ଟି ଦେଶ ହେଉଛନ୍ତି ଚୀନ୍, ଜାପାନ୍ ଓ ଭାରତ।