ପ୍ରଥମ କରି ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ, ୧୫୯ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ସମାଜବାଦୀ ପାର୍ଟି

ଲଖନଉ: ଆସନ୍ତା ମାସରେ ପଞ୍ଜାବ ସହ ଉତ୍ତରପ୍ରଦେଶରେ ମଧ୍ୟ ହେବା ବିଧାନସଭା ନିର୍ବାଚନ | ପଞ୍ଜାବରେ ବିଭିନ୍ନ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏବେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ଏସପି) ୧୫୯ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି | ୟୁପିରେ ପୁଣିଥରେ କ୍ଷମତାକୁ ଆସିବେ ବୋଲି ଏସପିର ଅଖିଳେଶ ଯାଦବ ନିରନ୍ତର ଦାବି କରୁଥିବା ବେଳେ ଚଳିତ ନିର୍ବାଚନରେ ସେ କରହଲ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି |

ସେହିଭଳି ୟୁପି ସରକାରର ପୂର୍ବତନ ମନ୍ତ୍ରୀ ତଥା ଏସପି ସାଂସଦ ଆଜମ ଖାନଙ୍କୁ ରାମପୁରରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଯାଇଛି। ଆଜମ ବର୍ତ୍ତମାନ ଜେଲରେ ଅଛନ୍ତି ଏବଂ ସୁପ୍ରିମକୋର୍ଟରେ ତାଙ୍କ ଜାମିନ ଆବେଦନ କରିଛନ୍ତି। ଏହା ବ୍ୟତୀତ ଅମାପୁରରୁ ସତ୍ୟଭାନ୍ ଶାକ୍ୟ, ପିଲିଭିତରୁ ଶୈଳେନ୍ଦ୍ର ଗାଙ୍ଗୱାର ଏବଂ ଲଖିମପୁର ଖେରୀର ନିଘାସାନ ଆସନରୁ ଆର.ଏସ୍ କୁଶୱାଙ୍କୁ ଟିକେଟ୍ ଦିଆଯାଇଛି।

ତେବେ ସବୁଠାରୁ ବଡ କଥା ହେଲେ ଏସପି ସୁପ୍ରିମୋ ଅଖିଲେଶ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୨୦୦୦ ମସିହାରେ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ କନ୍ନୁଜ ଆସନରୁ ନିର୍ବାଚନରେ ​​ବିଜୟୀ ହୋଇ ଲୋକସଭାରେ ପହଞ୍ଚିଥିଲେ | ଏହା ସହ ୨୦୦୪ ଏବଂ ୨୦୦୯ରେ ମଧ୍ୟ ସାଧାରଣ ନିର୍ବାଚନରେ ​​ସେ କନ୍ନୁଜରୁ ଜିତି ଲୋକସଭାରେ ପହଞ୍ଚିଥିଲେ। ଏହା ପରେ, ୨୦୧୨ରେ, ଯେତେବେଳେ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାଙ୍କୁ କନ୍ନୁଜ ଲୋକସଭା ଆସନରୁ ଇସ୍ତଫା ଦେବାକୁ ପଡିଲା। ମୁଖ୍ୟମନ୍ତ୍ରୀ ହେବା ପରେ ଅଖିଳେଶ ଯାଦବ ବିଧାନ ପରିଷଦର ସଦସ୍ୟ ହୋଇଥିଲେ। ଏବେ ପ୍ରଥମ ଥର ପାଇଁ ଅଖିଳେଶ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି |

ସମ୍ବନ୍ଧିତ ଖବର