ଅବରୋଧ ଅଞ୍ଚଳ ପାଇଁ ସ୍ବତନ୍ତ୍ର ରଣନୀତି: ୨୪ ଘଣ୍ଟାରେ ୩୯୦୦ ଆକ୍ରାନ୍ତ, ପ୍ରବାସୀଙ୍କ ପାଇଁ ବଢ଼ୁଛି ସଂକ୍ରମଣ

ଦେଶରେ କରୋନା ଆରୋଗ୍ୟ ହାର ୩୫% ଟପିଲା, ମୃତୁ ହାର ୩.୨%

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୭୦ ନୂଆ କରୋନା ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଥିବା ବେଳେ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ଅତିକ୍ରମ କରିଛି। ତେବେ ୩୦ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିବା ଏକ ବଡ଼ ଆଶ୍ବାସନା ପାଲଟିଛି। ତେବେ ଭାରତରେ ରେଡ୍‌ ଜୋନ୍‌ଗୁଡ଼ିକୁ ନେଇ ଏବେ ଉଦ୍‌ବେଗ ଲାଗି ରହିଛି। ସମସ୍ତ ଅବରୋଧ ଅଂଚଳକୁ ସିଲ୍‌ କରି କଡ଼ା କଟକଣା ଜାରି ରଖିଲେ ନୂଆ ମାମଲା ଯଥେଷ୍ଟ କମିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। କରୋନା ଟିକା ବାହାରିବା ପର୍ଯ୍ୟନ୍ତ ସରକାରଙ୍କୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ ବୋଲି କେତେକ ବୈଜ୍ଞାନିକ ପରାମର୍ଶ ଦେଇଛନ୍ତି। ସବୁ ରାଜ୍ୟ ସରକାର ଅବରୋଧ ଅଂଚଳର ତାଲିକା ପ୍ରକାଶ କରିବା ସହ ଲକ୍‌ଡାଉନ୍‌ ୪.୦ ପାଇଁ ସେଠାରେ କିଭଳି କଟକଣା ଲାଗୁ ହେବ ସେ ନେଇ ମନ୍ଥନ ଜାରି ରଖିଛନ୍ତି। ପ୍ରବାସୀ ଶ୍ରମିକମାନେ ଅସୁରକ୍ଷିତ ଭାବେ ରାଜ୍ୟକୁ ଫେରିବା ପରେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିଛି। ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଂଗ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ରାଜସ୍ଥାନ ଆଦି ରାଜ୍ୟରେ ପ୍ରବାସୀ ଶ୍ରମିକମାନେ ଫେରିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଶ୍ରମିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କ୍ବାରାଣ୍ଟିନ ସେଣ୍ଟରରେ ରଖାଯାଉଥିଲେ ମଧ୍ୟ ଭୟ ବଢ଼ିବାରେ ଲାଗିଛି।

ତାମିଲନାଡ଼ୁ, ତେଲେଙ୍ଗାନା ଓ ବିହାର ସରକାର ନିଜ ରାଜ୍ୟର ପ୍ରବାସୀ ଶ୍ରମିକ ରାଜ୍ୟକୁ ଚାଲି ଚାଲି ନ ଫେରି ସୁରକ୍ଷିତ ଭାବେ, ଏବେର ସ୍ଥାନରେ ରହିବାକୁ କହିଛନ୍ତି। ତେବେ ସରକାରଙ୍କ ଏହି ପରାମର୍ଶକୁ ଶ୍ରମିକମାନେ ବର୍ତ୍ତମାନ ସ୍ଥିତିରେ ଗ୍ରହଣ କରିପାରୁ ନାହାନ୍ତି। ଏହି ସବୁ ରାଜ୍ୟମାନଙ୍କୁ ଲକ୍ଷାଧିକ ଶ୍ରମିକ ବସ୍‌ ଏବଂ ଟ୍ରେନ୍‌ରେ ଫେରିବା ପରେ ସଂକ୍ରମଣ ଭୟ ବଢ଼ିଯାଇଛି। ପ୍ରବାସୀ ଶ୍ରମିକଙ୍କ ଯାତ୍ରା ସମୟରେ ସାମାଜିକ ଦୂରତ୍ବ ରକ୍ଷା ହୋଇପାରୁନାହିଁ। ରାଜଧାନୀ ଦିଲ୍ଲୀରେ ଆଜି ୪୩୮ଟି ନୂଆ ମାମଲା ପ୍ରଥମ କରି ଗୋଟିଏ ଦିନରେ ଜଣାପଡ଼ିଛି। ମେ ୧୮ରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ହେବାକୁ ଯାଉଥିବା ବେଳେ ପୂର୍ବରୁ ଲାଗୁ ହୋଇଥିବା ଅନେକ କଟକଣା ପ୍ରତ୍ୟାହାର ହେବ। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ବ ଏବଂ ସତର୍କତା ହିଁ ଲୋକଙ୍କ ପାଇଁ ରକ୍ଷା କବଚ ହେବ।

ନୂଆଦିଲ୍ଲୀ: ଭାରତ ଏବେ କରୋନା ମହାମାରୀର ମୁକାବିଲା ପାଇଁ ସବୁସ୍ତରରେ ସଂଘର୍ଷ ଜାରି ରଖିଛି। ଦେଶରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଲୋକଙ୍କ ଆରୋଗ୍ୟ ହାର ୩୫ ପ୍ରତିଶତରୁ ଅଧିକ ରହିଛି। ଅନ୍ୟପକ୍ଷରେ ଦେଶରେ କରୋନା ମୃତ୍ୟୁ ହାର ୩.୨ ପ୍ରତିଶତ ରହିଛି। ଆରୋଗ୍ୟ ହାର ବୃଦ୍ଧି ଏକ ବଡ଼ ଆଶ୍ବାସନା ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେବା ସମୟସୀମା ମଧ୍ୟ ବୃଦ୍ଧି ପାଇଛି। ସମଗ୍ର ବିଶ୍ବ ଏବେ କରୋନା ମୁକାବିଲା ପାଇଁ ଟିକା ବାହାର କରିବାକୁ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରଖିଛି। ଭାରତରେ ଲକ୍‌ଡାଉନ୍‌ର ସୁଫଳ ଏବେ ଦେଖିବାକୁ ମିଳିଛି ଏବଂ ଦୈନିକ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଛି। ସଂକ୍ରମଣ ରୋକିବା ପାଇଁ ରାଜ୍ୟସ୍ତରରେ ବି ସରକାରମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର