ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ମାମଲା : ସଂସଦରେ କଂଗ୍ରେସ-ବିଜେପି ମୁହାଁମୁହିଁ

ଦିଲ୍ଲୀରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନର ଆରମ୍ଭ ଦିନରୁ ହିଁ ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ପ୍ରସଙ୍ଗ ସରଗରମ ରହିଛି। ଆଜି ତୃତୀୟ ଦିନ ଧରି କଂଗ୍ରେସ ଏହି ମାମଲା ଉଠାଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ଜୋର୍‌ଦାର ବିରୋଧ କରିଛି। କଂଗ୍ରେସ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ସରକାର ରାଜନୈତିକ ଆକ୍ରୋଶ ରଖି ଏଭଳି ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥିରେ କୌଣସି ରାଜନୀତି ନାହିଁ। ଗୃହ ମନ୍ତ୍ରାଳୟ ପକ୍ଷରୁ ସୁରକ୍ଷା ସ୍ଥିତି ସମୀକ୍ଷା କରାଯିବା ପରେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟସଭାରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା କହିଛନ୍ତି। ରାଷ୍ଟ୍ର ସ୍ବାର୍ଥରେ ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ପୁଣି ଲାଗୁ କରିବାକୁ କଂଗ୍ରେସ ନେତା ଆନନ୍ଦ ଶର୍ମା ଦାବି କରିଛନ୍ତି। ସରକାର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର କରିବା ପରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କ ଗାନ୍ଧୀଙ୍କ ଜୀବନ ପ୍ରତି ବିପଦ ବଢ଼ିଯାଇଛି ବୋଲି ଶର୍ମା କହିଛନ୍ତି। ତେବେ ନଡ୍ଡା ଏହାକୁ ଖଣ୍ଡନ କରି କହିଛନ୍ତି ଯେ ସୁରକ୍ଷା ସ୍ଥିତି ସଂପର୍କରେ ସବିଶେଷ ସମୀକ୍ଷା ପରେ ପ୍ରୋଟକଲ ଅନୁଯାୟୀ ସରକାର ପଦକ୍ଷେପ ନେଇଛନ୍ତି ଏବଂ କଂଗ୍ରେସ ଏହାକୁ ନେଇ କେବଳ ବିବାଦ ସୃଷ୍ଟି କରିବାକୁ ଚାହୁଛି।

ଅନ୍ୟପକ୍ଷରେ ଆଜି ଦିଲ୍ଲୀରେ ଯୁବ କଂଗ୍ରେସ ପକ୍ଷରୁ ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। କଂଗ୍ରେସ କର୍ମୀମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ସଂସଦ ଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଶତାଧିକ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଥିଲା। କଂଗ୍ରେସର ଦାବି ନେଇ ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ମାମଲାର ଏବେ ପରିସମାପ୍ତି ଘଟିଛି ଏବଂ ଗାନ୍ଧୀ ପରିବାର ପାଇଁ ଏସ୍‌ପିଜି ସୁରକ୍ଷା ପୁଣି ଥରେ ଲାଗୁ ହୋଇପାରିବ ନାହିଁ। ଏବେ ଗାନ୍ଧୀ ପରିବାର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜେଡ୍‌ ପ୍ଲସ୍‌ ନିରାପତ୍ତା ଯୋଗାଇ ଦିଆଯାଉଛି ।

ସମ୍ବନ୍ଧିତ ଖବର