କ୍ରୀଡ଼ା ପାଠ୍ୟକ୍ରମର ଏକ ଅଂଶ ହେବ: ମୋଦୀ

ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଜାତୀୟ ଶିକ୍ଷା ନୀତି କ୍ରୀଡାକୁ ଏକ ବିଷୟ ଭାବେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛି ଯାହା ପାଠ୍ୟକ୍ରମର ଏକ ଅଂଶ ହେବ। ଦେଶର ପ୍ରଥମ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ ଏହି ଲକ୍ଷ୍ୟକୁ ଆହୁରି ମଜ୍‌ବୁତ କରିବ। ଉଚ୍ଚତର ଶିକ୍ଷା କ୍ଷେତ୍ରରେ କ୍ରୀଡାକୁ ଅଧିକ ପ୍ରାଧାନ୍ୟ ଦେବା ଦିଗରେ ପ୍ରୟାସ କରାଯାଉଛି। ଉତ୍ତର ପ୍ରଦେଶ ଏ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରୁଛି। ଦେଶବ୍ୟାପୀ ୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରାୟ ୧୨ଟି ଜାତୀୟ ଉତ୍କର୍ଷ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି ଯେଉଁଠାରେ ପ୍ରଦର୍ଶନରେ ଉନ୍ନତି ପାଇଁ କ୍ରୀଡା ବିଜ୍ଞାନର ସମର୍ଥନ ଏବଂ ପ୍ରଶିକ୍ଷଣ ସୁବିଧା ପ୍ରଦାନ କରାଯାଉଛି। ଖେଲୋ ଇଣ୍ଡିଆ ମଧ୍ୟ ଭାରତର ପାରମ୍ପରିକ କ୍ରୀଡ଼ାର ହୃତ ଗୌରବ ଫେରାଇ ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ଜରିଆରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା- ୨୦୨୩କୁ ଉଦ୍‌ଘାଟନ କରିବା ଅବସରରେ ଏହା କରିଛନ୍ତି।

ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା- ୨୦୨୩ର ଆୟୋଜନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଆଜି ଉତ୍ତର ପ୍ରଦେଶ କ୍ରୀଡ଼ା ପ୍ରତିଭାମାନଙ୍କର ଏକ ସଙ୍ଗମ ପାଲଟି ଯାଇଛି। ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାର ୭୫୦ରୁ ଅଧିକ କ୍ରୀଡାବିତ୍ ଏହି କ୍ରୀଡ଼ା ମହୋତ୍ସବରେ ଅଂଶଗ୍ରହଣ କରିବେ। କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା କ୍ରୀଡ଼ାବିତ ବିଭିନ୍ନ ରାଜ୍ୟ ଓ ପ୍ରାନ୍ତରୁ ଆସିଛନ୍ତି ଏବଂ ସାଂସଦ ଭାବରେ ସେ ସେମାନଙ୍କୁ ସ୍ୱାଗତ କରିଥିଲେ । ତାଙ୍କ ନିଜର ନିର୍ବାଚନ ମଣ୍ଡଳୀ ବାରଣାସିରେ ଏହାର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡ଼ାବିତମାନେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ଉତ୍ତର ପ୍ରଦେଶର ଯେଉଁ ଯେଉଁ ସ୍ଥାନରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି, ସେସବୁ ସ୍ଥାନକୁ ବୁଲି ଦେଖିବେ । ଏହାଦ୍ୱାରା ଏହି ସବୁ ସ୍ଥାନ ସହ ଏକ ସମ୍ପର୍କ ଯୋଡ଼ି ହୋଇଯିବ ଓ ପ୍ରତିଯୋଗୀମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଘଟଣା ହୋଇ ରହିବ । ଆଗାମୀ ପ୍ରତିଯୋଗିତାଗୁଡ଼ିକ ପାଇଁ ସେ ମଧ୍ୟ ସେମାନଙ୍କର ସଫଳତା କାମନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ୯ ବର୍ଷ ମଧ୍ୟରେ ଭାରତରେ କ୍ରୀଡାର ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଯାହା କେବଳ ଭାରତକୁ କ୍ରୀଡ଼ାରେ ଏକ ବୃହତ ଶକ୍ତି ଭାବେ ପ୍ରସ୍ତୁତ କରିବାର ବିଷୟ ନୁହେଁ ବରଂ କ୍ରୀଡା ମାଧ୍ୟମରେ ସମାଜକୁ ସଶକ୍ତ କରିବାର ଏକ ଯୁଗ ମଧ୍ୟ । ପ୍ରଧାନମନ୍ତ୍ରୀ କ୍ରୀଡା ପ୍ରତି ବିମୁଖତାର ପୂର୍ବ ସମୟର କଥା ସ୍ମରଣ କରିଥିଲେ, ଯେତେବେଳେ ସରକାରମାନଙ୍କ ପକ୍ଷରୁ କ୍ରୀଡାକୁ ଆବଶ୍ୟକ ସମର୍ଥନ ମିଳୁ ନ ଥିଲା । ଏହା ଗରିବ, ମଧ୍ୟବିତ ଶ୍ରେଣୀ ଏବଂ ଗ୍ରାମୀଣ ପିଲାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ପାଇଁ କଠିନ ପରିସ୍ଥିତି ସୃଷ୍ଟି କରାଉଥିଲା । ଯାହା ଅଧିକାଂଶ ଅଭିଭାବକମାନଙ୍କୁ କ୍ରୀଡାକୁ ଉପେକ୍ଷା କରିବା ପାଇଁ ବାଧ୍ୟ କରୁଥିଲା କାରଣ ପେଶା ଭାବରେ ଏହାର ସୀମିତ ସୁଯୋଗ ରହିଥିଲା । ଏବେ ଅଭିଭାବକମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆସିଥିବା ବିରାଟ ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଶେଷ ଭାବରେ ଉଲ୍ଲେଖ କରିଥିଲେ । “କ୍ରୀଡାକୁ ଏବେ ଏକ ଆକର୍ଷଣୀୟ ପେଶା ଭାବେ ବିବେଚନା କରାଯାଉଛି ଏବଂ ଖେଲୋ ଇଣ୍ଡିଆ ଅଭିଯାନ ସେଥିରେ ଏକ ବିରାଟ ଭୂମିକା ନିର୍ବାହ କରୁଛି” ସେ କହିଥିଲେ।

କ୍ରୀଡା ପ୍ରତି ପୂର୍ବର ସରକାରମାନଙ୍କ ମନୋଭାବ ସମ୍ପର୍କରେ ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଘେରି ରହିଥିବା ଦୁର୍ନୀତିଗୁଡିକ ବିଷୟରେ ମନେ ପକାଇ ଦେଇଥିଲେ। ସେ କହିଥିଲେ ଏବେ ଏସବୁ ବଦଳିବାରେ ଲାଗିଛି । ସହାଂଚଳ କ୍ରୀଡା ଭିତିଭୂମୀ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାରଗୁଡିକ ୬ ବର୍ଷରେ ମାତ୍ର ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଖେଲୋ ଇଣ୍ଡିଆ ଅଧୀନରେ ଏବେ କ୍ରୀଡା ଭିତ୍ତିଭୂମି ବାବଦକୁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଯାହା ଫଳରେ ଅଧିକରୁ ଅଧିକ କ୍ରୀଡାବିତ୍ କ୍ରୀଡାକୁ ପେଶା ଭାବେ ନେବା ପାଇଁ ଏହା ସହଜ ହୋଇପାରୁଛି । ଆଜି ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ କ୍ରୀଡାରେ ପ୍ରାୟ ୩୦ ହଜାର କ୍ରୀଡାବିତ୍ ଅଂଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଯେଉଁମାନଙ୍କ ମଧ୍ୟରୁ ୧୫୦୦ ଜଣ ଖେଳାଳିଙ୍କୁ ଆର୍ଥିକ ସହାୟତା ମିଳୁଛି । ୯ ବର୍ଷ ପୂର୍ବେ କ୍ରୀଡା ପାଇଁ ଯେତିକି ବଜେଟ ଥିଲା ଏବେ ସେଥିରେ ୩ ଗୁଣା ବୃଦ୍ଧି ଘଟିଛି।

ଉତ୍ତର ପ୍ରଦେଶ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲକ୍ଷ୍ନୌରେ କ୍ରୀଡା ସୁବିଧାର ସମ୍ପ୍ରସାରଣ, ବାରଣାସୀରେ ସିଗ୍ରା ଷ୍ଟାଡିୟମର ଆଧୁନିକୀକରଣ ଏବଂ ୪୦୦ କୋଟି ଟଙ୍କାର ଆର୍ଥିକ ସହାୟତାରେ ଆଧୁନିକ କ୍ରୀଡା ସୁବିଧା ସୃଷ୍ଟି ସମ୍ପର୍କରେ ସୂଚନା ଦେଇଥିଲେ । ସେ ଲାଲପୁରଠାରେ ସିନ୍ଥେଟିକ ହକି ପଡିଆ, ଗୋରଖପୁରର ବୀର ବାହାଦୁର ସିଂହ ସ୍ପୋର୍ଟସ କଲେଜରେ ବହୁମୁଖୀ ହଲ, ମିରଟରେ ସିନ୍ଥେଟିକ ହକି ପଡିଆ ଏବଂ ସାହରନପୁରଠାରେ ସିନ୍ଥେଟିକ ଦୌଡ ଟ୍ରାକ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ସମ୍ବନ୍ଧିତ ଖବର