୩ ସପ୍ତାହ ପରେ ଉଦ୍ଧାର ହେଲା ଜାହାଜରେ ଭାରତରୁ ସ୍କଟ୍‌ଲାଣ୍ଡ୍‌ ପଳାଇଥିବା ଗୁଣ୍ଡୁଚି

ନୂଆଦିଲ୍ଲୀ: ଭାରତରୁ ଗୋଟାଏ ଜାହାଜରେ ଶହ ଶହ ମାଇଲ୍‌ ଦୂରରେ ଅବସ୍ଥିତ ସ୍କଟ୍‌ଲାଣ୍ଡ୍‌କୁ ଚାଲିଯାଇଥିବା ଏକ ଗୁଣ୍ଡୁଚିକୁ ଆବର୍ଡିନ୍‌ସର୍‌ସ୍ଥିତ ‘ଦି ନିଉ ଆର୍କ ୱାଇଲ୍‌ଡ୍‌ଲାଇଫ୍‌ ହସ୍‌ପିଟାଲ୍‌’ ଓ ‘ନର୍ଥ ଇଷ୍ଟ୍‌ ୱାଇଲଡ୍‌ଲାଇଫ୍‌ ଆଣ୍ଡ୍ ଆନିମଲ୍‌ ରେସ୍କ୍ୟୁ ସେଣ୍ଟର୍‌’ର କର୍ମଚାରୀମାନେ ଉଦ୍ଧାର କରିଛନ୍ତି।

ଅଗଷ୍ଟ ୩୦ ତାରିଖ ଦିନ ‘ଦି ନିଉ ଆର୍କ’ ଫେସ୍‌ବୁକ୍‌‌ରେ ଏକ ପୋଷ୍ଟ୍‌ ସହିତ ଉକ୍ତ ଗୁଣ୍ଡୁଚିର ଫଟୋ ମଧ୍ୟ ସେୟାର କରିଥିଲେ। ଏହି ପୋଷ୍ଟ୍‌ରେ ଥିବା ସୂଚନା ଅନୁସାରେ, ଆବର୍ଡିନ୍‌ରେ ଥିବା ‘ପେଷ୍ଟ୍‌ ସଲ୍ୟୁସନ୍‌’ରେ କାର୍ଯ୍ୟ କରୁଥିବା ଦୁଇଜଣ ସ୍ଥାନୀୟ ବ୍ୟକ୍ତି ସେ ଜାହାଜର କ୍ରୁ’ ମେମ୍ବର୍‌ଙ୍କ ପାଖରୁ ଫୋନ୍‌ କଲ୍‌ ପାଇଥିଲେ।

ସେମାନେ କହିଥିଲେ କି, ଭାରତରୁ ଆସିଥିବା ‌ଗୋଟାଏ ପୋତରେ ଆମେ ଦେଖିଥିବା ଗୁଣ୍ଡୁଚିଟିକୁ ଉଦ୍ଧାରକାରୀ କେନ୍ଦ୍ର ନେବାକୁ ଇଚ୍ଛୁକ କି? ଫୋନ୍‌ କଲ୍‌ ପାଇବାର ୧ ଘଣ୍ଟା ପରେ ଡାକ୍ତରଖାନାର ସଦସ୍ୟମାନେ ଆସି ପହଞ୍ଚିଥିଲେ ଓ ଗୋଟାଏ ‘ପେଟ୍‌ କ୍ୟାରିୟର୍‌’ରେ (ପ‌ୋଷା ଜୀବଙ୍କ ପାଇଁ ଉଦ୍ଦିଷ୍ଟ ପଞ୍ଜୁରି) ନିରାପଦରେ ନେଇଯାଇଥିଲେ।

Image Courtesy of BBC

ଉକ୍ତ ପୋଷ୍ଟ୍‌ରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଭାରତୀୟ ଗୁଣ୍ଡୁଚିମାନଙ୍କ ବିଷୟରେ ଆମର ଜ୍ଞାନ ପୋଥିଗତ ହୋଇଥିବାରୁ ତା’ ଉପରେ ଅଧ୍ୟୟନ କରିବା ଲାଗି ଫୋନ୍‌ ପାଇବାକ୍ଷଣି ଆମେ ତୁରନ୍ତ ଘଟଣାସ୍ଥଳରେ ହାଜର ହୋଇଗଲୁ। ଭୂଇଁ ଗୁଣ୍ଡୁଚିଠାରୁ ଆରମ୍ଭ କରି ପ୍ରକାଣ୍ଡ ଉଡ଼ନ୍ତା ଗୁଣ୍ଡୁଚିଯାଏଁ, ଭାରତରେ ୪୦ ପ୍ରଜାତିର ଗୁଣ୍ଡୁଚି ଦେଖାଯାଆନ୍ତି। ସେ ଯାହାହେଉ, ପଟାଗାର ଥିବା ଉକ୍ତ ଗୁଣ୍ଡୁଚି ପାଇଁ ଆମେ ସ୍ବତନ୍ତ୍ର ବାସସ୍ଥାନ ବ୍ୟବସ୍ଥା କରିଛୁ।

ଡାକ୍ତରଖାନା ତରଫରୁ କୁହାଯାଇଛି ଯେ, ୩ ଗାରିଆ ନଡ଼ିଆଗଛ ଗୁଣ୍ଡୁଚି ଭାବେ ଜଣାଶୁଣା ଉକ୍ତ ଗୁଣ୍ଡୁଚିଟି ହେଉଛି ଭାରତୀୟ ତାଳଗଛିଆ ଗୁଣ୍ଡୁଚି। ଏହା ଭାରତର ବିଭିନ୍ନ ଅଞ୍ଚଳରେ ଥିବା ବାଡ଼ିବଗିଚାରେ ଦେଖାଯାଆନ୍ତି।

ଅତ୍ୟନ୍ତ ଚଳଚଞ୍ଚଳ, ସ୍ବାସ୍ଥ୍ୟବାନ ଏବଂ ପ୍ରଖର ଥିବାରୁ ଉଦ୍ଧାରକାରୀମାନେ ଉକ୍ତ ଗୁଣ୍ଡୁଚିର ଶ୍ରଦ୍ଧା ନାମ ଦେଇଛନ୍ତି ‘ଜିପ୍ପି’।

ସମ୍ବନ୍ଧିତ ଖବର