ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସୁପ୍ରିମକୋର୍ଟରେ ଶୁଣାଣି ‌ଶେଷ, ରାୟ ଆଜି

ନୂଆଦିଲ୍ଲୀ : ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଗୁରୁବାର ଦିନ ସୁପ୍ରିମକୋର୍ଟ‌ରେ ଶେଷ ହୋଇଛି। ଆଜି ଏହାର ରାୟ ପ୍ରକାଶ ପାଇବ। ଜଷ୍ଟିସ୍‌ ବି.ଆର୍‌. ଗଭାଇ ଓ ଜଷ୍ଟିସ ହିମା କୋହଲି ମାମଲାର ଶୁଣାଣି କରିଥିଲେ।

ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷଙ୍କ ଦ୍ବାରା ପ୍ରକଳ୍ପ ସପକ୍ଷ ଓ ବିପକ୍ଷରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ପ୍ରଥମ ଆବେଦନକାରୀ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ପକ୍ଷରୁ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ ଯୁକ୍ତି ଦର୍ଶାଇଥିଲେ ଯେ ‘ଆମସାର’ ଆଇନ ଅନୁଯାୟୀ ସଂରକ୍ଷିତ ଅଞ୍ଚଳରେ ‌କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଲାଗି ରାଜ୍ୟ ସରକାର କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ବାଧ୍ୟ। ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ଙ୍କ ଠାରୁ ଏନ୍‌ଓସି ଆଣିଥିଲେ। ଯାହାକି ଯୁକ୍ତିଯୁକ୍ତ ନୁହେଁ। ଦ୍ବିତୀୟ ଆବେଦନକାରୀ ସୁମନ୍ତ କୁମାର ଘଡ଼େଇଙ୍କ ପକ୍ଷରୁ ଆଇନଜୀବୀ ବିନୟ ନଭା କହିଲେ, ପରିକ୍ରମା ପ୍ରକଳ୍ପରେ ଖନନ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ବାହାର ଲୋକମାନଙ୍କୁ ଦିଆଯାଇଛି। ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ରିପୋର୍ଟରେ କୁହାଯାଇଛି। ବେଆଇନ ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ଯାହାକି ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ (ଏଜି) ଅଶୋକ ପରିଜା ଆବେଦନକାରୀଙ୍କ ଅଭିଯୋଗଗୁଡ଼ିକୁ ଖଣ୍ଡନ କରି କହିଲେ, ଆମସାର ଆଇନ ଅଧୀନରେ ଏନ୍‌ଏମ୍‌ଏ ରହିଛି ଓ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶାଳୟକୁ କ୍ଷମତାସଂପନ୍ନ କର୍ତ୍ତୃପକ୍ଷ ଭାବେ ବିଜ୍ଞପିତ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ କାର୍ଯ୍ୟ ଜାରି ରହିଛି ତାହା ଆଇନ ଅନୁସାରେ ନିର୍ମାଣ ପରିସରକୁ ଆସୁନାହିଁ। ଆମସାର ଆଇନର ଧାରା ୨(ଡିସି)ର ଅବତାରଣା କରି ସେ କହିଲେ, ପ୍ରଚଳିତ ଷ୍ଟ୍ରକଚର୍‌ କିମ୍ବା କୋଠାର ପୁନଃ ନିର୍ମାଣ, ମରାମତି, ରିନୋଭେସନ, ରକ୍ଷଣାବେକ୍ଷଣ, ନାଳ ନର୍ଦମାର ସଫେଇ କାର୍ଯ୍ୟ, ସର୍ବସାଧାରଣ ଶୌଚାଳୟ, ପରିସ୍ରାଘର, ସର୍ବସାଧାରଣଙ୍କ ପାଇଁ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ନିର୍ମାଣର ପରିସରରେ ଆସୁନାହିଁ। ପ୍ରତ୍ୟେକ ଦିନ ମନ୍ଦିରକୁ ୬୦ ହଜାର ଭକ୍ତ ଆସୁଛନ୍ତି। ଶୌଚାଳୟର ଆବଶ୍ୟକତା ରହିଥିଲା। ଆମିକସ କ୍ୟୁରି ରଂଜିତ କୁମାର କହିଥିଲେ ଯେ ଅଧିକ ଶୌଚାଳୟର ଆବଶ୍ୟକତା ରହିଛି,ଏ ନେଇ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି। ସେଠାରେ ସୌନ୍ଦର୍ଯ୍ୟୀକରଣ ପାଇଁ ତଥା ଭକ୍ତଙ୍କ ସୁବିଧା ପାଇଁ କାର୍ଯ୍ୟ କରାଯାଉଛି। ଏଥିସହିତ ମନ୍ଦିରର ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି।

ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର କହିଥିଲେ ଯେ ଶ୍ରଦ୍ଧାଳୁଙ୍କୁ ସୁବିଧା ଯୋଗାଇବାର ଆବଶ୍ୟକତା ରହିଛି। ପୁରୀ ବିଶ୍ବ କରିଡର ସହର ହେଉ ଏ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମଗ୍ର ସେବାୟତ ସଂଘ ସମର୍ଥନ କରୁଛନ୍ତି। ଏତିକି ନୁହେଁ ସେବାୟତମାନେ ସେମାନଙ୍କର ଜମି ଓ କୋଠା ପ୍ରକଳ୍ପ ପାଇଁ ଦେଇଛନ୍ତି ଏବଂ ସେମାନେ ଚାହୁଛନ୍ତି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେଉ।

ସମସ୍ତ ପକ୍ଷଙ୍କର ତର୍କ ଶୁଣିବା ପରେ ଖଣ୍ଡପୀଠ ରାୟକୁ ସଂରକ୍ଷିତ ରଖିଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀ ଜଗନ୍ନାଥ ପ୍ରକଳ୍ପ କରିଡରରେ ବେଆଇନ ନିର୍ମାଣ କରାଯାଉଥିବା ଅଭିଯୋଗ କରି ତଥା ହାଇକୋର୍ଟଙ୍କ ମେ ୯,୨୦୨୨ର ଆଦେଶ ବିରୋଧରେ ଗତ ମାସ ୨୭ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ ଦୁଇଟି ଏସ୍‌ଏଲ୍‌ପି ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର