ଜୁଲାଇ ମାସରେ ରାଜ୍ୟକୁ ମିଳିବ ୪୦ ଲକ୍ଷ ଡୋଜ୍ ଟିକା

୩୮୦ ପୃଷ୍ଠାର ସତ୍ୟପାଠରେ ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଟିକାନୀତିକୁ ନେଇ ୩୮୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଟିକା ଉପଲବ୍ଧ କରାଯିବାକୁ ନେଇ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିରେ ପ୍ରଦତ୍ତ ତଥ୍ୟ ଅନୁସାରେ ଓଡିଶାକୁ ଜୁଲାଇ ମାସରେ ୧୮ରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ କୋଭିସିଲ୍ଡର ୩୩,୭୫,୭୩୦ ଡୋଜ୍‌ ଓ କୋଭାକ୍ସିନର ୬,୯୨,୧୫୦ ଡୋଜ୍‌ ଉପଲବ୍ଧ କରାଯିବ। ଏଥିମଧ୍ୟରୁ କୋଭିସିଲ୍ଡର ୨୫,୩୧,୮୦୦ ଡୋଜ୍‌ ସରକାରୀ ଟିକାକରଣ କେନ୍ଦ୍ରମାନଙ୍କରେ ଓ ୮,୪୩,୯୩୦ ଡୋଜ୍ ଘରୋଇ ଟିକାକରଣ କେନ୍ଦ୍ରମାନଙ୍କରେ ଉପଲବ୍ଧ କରାଯିବ। ସେହିପରି କୋଭାକ୍ସିନର ୫,୧୯,୧୧୦ ଡୋଜ୍‌ ସରକାରୀ କେନ୍ଦ୍ରରେ ଓ ୧,୭୩,୦୪୦ ଡୋଜ୍‌ ପ୍ରାଇଭେଟ୍‌ କେନ୍ଦ୍ରମାନଙ୍କରେ ଉପଲବ୍ଧ କରାଯିବ।

ସତ୍ୟପାଠରେ ରାଜ୍ୟରେ ସମୁଦାୟ ୩୪୭୪ କରୋନା ଟିକାକରଣ କେନ୍ଦ୍ର ଥିବା ଉଲ୍ଲେଖ କରାଯାଇଛି। କୋୱିନ ପୋର୍ଟାଲରୁ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟର ଟିକାକରଣ କେନ୍ଦ୍ରମାନଙ୍କରେ ମେ ୧ରୁ ଜୁନ୍‌ ୨୩ ପର୍ଯ୍ୟନ୍ତ ୬୭,୭୩,୦୨୦ ଡୋଜ୍‌ ଟିକା ଦିଆଯାଇଛି। ଏଥି ମଧ୍ୟରୁ ୨,୧୦୨ ଗ୍ରାମୀଣ ଅଂଚଳରେ ଥିବା ଟିକାକରଣ କେନ୍ଦ୍ରରେ ୩୬,୪୭,୧୦୪ ଡୋଜ୍‌ ଓ ୯୦୫ ସହରାଂଚଳ ଟିକାକରଣ କେନ୍ଦ୍ରରେ ୨୭,୮୫,୪୩୯ ଡୋଜ୍‌ ଦିଆଯାଇଥିବା କୁହାଯାଇଛି। ଓଡିଶାର ୬୧ ପ୍ରତିଶତ ଗ୍ରାମୀଣ ଟିକାକରଣ କେନ୍ଦ୍ରରେ ୫୪ ପ୍ରତିଶତ ଡୋଜ୍‌ ଦିଆଯାଇଛି। ଷ୍ଟେଟ୍‌ୱାଇଜ କୋଲ୍ଡଚେନ ଇକ୍ୟୁପ୍‌ମେଣ୍ଟ ଅନ୍ତର୍ଗତ ଓଡିଶାରେ ୧୭୯୩ ଆଇସ୍ ଲାଇନ୍ଡ ରେଫ୍ରିଜରେଟର, ୧୭୧୨ ଡିପ୍ ଫ୍ରିଜର ତଥା ୧୨୨୪ କୋଲ୍ଡ ଚେନ୍ ପଏଣ୍ଟସ୍‌ ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। ଟିକାନୀତି ସଂପର୍କରେ କେନ୍ଦ୍ର ସରକାରଙ୍କ ଦ୍ବାରା ଦାଖଲ ସତ୍ୟପାଠର ଜୁନ‌୍ ୩୦ରେ ସୁପ୍ରିମ୍‌କୋର୍ଟ ଶୁଣାଣି କରିବେ।

ସମ୍ବନ୍ଧିତ ଖବର