ରକ୍ତ କର୍କଟରେ ପୀଡ଼ିତ ୮ ବର୍ଷୀୟ ଶ୍ରେୟାଂଶ, ଚିକିତ୍ସାରେ ସହଯୋଗ ପାଇଁ ପିତାମାତାଙ୍କ ନିବେଦନ

ସମ୍ବଲପୁର : ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନିର ଶ୍ରେୟାଂଶ କୁଶଳ ନାମକ ୮ ବର୍ଷୀୟ ବାଳକ ରକ୍ତ କର୍କଟରେ ପୀଡ଼ିତ ହୋଇ ଏବେ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି। ପ୍ରାୟ ମାସେ ତଳେ ତାଙ୍କ ରୋଗ ସଂପର୍କରେ ଜଣା ପଡ଼ିବା ପରେ ପିତାମାତା ତାଙ୍କୁ ରାୟପୁରର ବାଲ୍‌କୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରି ଚିକିତ୍ସା କରାଉଛନ୍ତି। ସେଠାରେ ୬ ମାସ ଚିକିତ୍ସିତ ହେବାକୁ ପଡ଼ିବ ଓ ଅତି କମ୍‌ରେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି। ‌ଶ୍ରେୟାଂଶଙ୍କ ପିତା ସରୋଜ କୁଶଲ ଗୋଟିଏ ଫାଷ୍ଟଫୁଡ୍ ଷ୍ଟଲ୍‌ କରିଥିଲେ ଯାହା ଲକ୍‌ଡାଉନ୍‌ କାରଣରୁ ବନ୍ଦ ଥିଲା। ଏବେ ପୁଅର ଚିକିତ୍ସା ପାଇଁ ୬ ମାସ ରାୟପୁରରେ ରହିବାକୁ ଥିବାରୁ ତାଙ୍କ ରୋଜଗାର ଓ ପେଟପାଟଣା ବି ସଂପୂର୍ଣ୍ଣ ବନ୍ଦ ହୋଇଯିବା ନିଶ୍ଚିତ ହୋଇଛି।

ଗୋଟିଏ ପଟେ ପରିବାର ଚଳାଇବା କଷ୍ଟ, ଘରଭଡ଼ା ଓ ଅନ୍ୟ ପଟେ ପୁଅର ଚିକିତ୍ସା ସରୋଜଙ୍କୁ ଭାରାକ୍ରାନ୍ତ କରିଛି। ହେଲେ ସେ ଆଶା ନ ହରାଇ ଶ୍ରେୟାଂଶକୁ ଭଲ କରିବା ପାଇଁ ରାୟପୁର ନେଇଛନ୍ତି। ଏହି କୋମଳମତି ବାଳକ ସଂପର୍କରେ ଜାଣିବା ପରେ ବୁଢ଼ାରଜା ହାଇସ୍କୁଲ୍‌ ୨୦୦୩ ବ୍ୟାଚ୍‌ର କିଛି ପୁରାତନ ଛାତ୍ରଛାତ୍ରୀ ଶ୍ରେୟାଂଶର ଚିକିତ୍ସା ପାଇଁ ସରୋଜଙ୍କୁ ୧୧,୫୦୦ ଟଙ୍କାର ସହାୟତା ଦେଇଛନ୍ତି। ଉକ୍ତ ବ୍ୟାଚ୍‌ର ସମ୍ବିତ ତ୍ରିପାଠୀ, ଶ୍ରୀତମ ପଣ୍ଡା, ସୁବାସ ଦାସ, ସୁଦାମ ମେହେର, ଅନୁଜ ଜେନା, ନିକିତାସା ଦାସ, ବିଜୟ ସାହା, ଦୁଷ୍ମନ୍ତ ବେହେରା, ଅଭିଳାଷ ବେହେରା ପ୍ରମୁଖ ବନ୍ଧୁ ମାନେ ଏହି ସହାୟତା ଦେଇଥିଲେ। ଅନ୍ୟ ସହୃଦୟ ବ୍ୟକ୍ତିମାନେ ବି ଏହି ନିଷ୍ପାପ ଶିଶୁର ଚିକିତ୍ସା ପାଇଁ ନିଜ ସାଧ୍ୟମତେ ସାହାଯ୍ୟ ଦେବାକୁ ସେମାନେ ଅନୁରୋଧ କରିଛନ୍ତି।

ଶ୍ରେୟାଂଶର ଚିକିତ୍ସା ପାଇଁ ସହଯୋଗ କରିବାକୁ ତାଙ୍କ ପିତାଙ୍କ ମୋବାଇଲ୍ ନମ୍ବର ୯୯୩୭୪୪୦୬୭୩ରେ ଯୋଗାଯୋଗ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରେୟାଂଶ ବାକ୍‌ଦେବୀ ଶିଶୁ ମନ୍ଦିରରେ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିଲାବେଳେ ଏବେ ତାଙ୍କ ପାଠପଢ଼ା ବି ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର