ମହାନଦୀରେ ଇନ୍‌ଷ୍ଟ୍ରିମ୍‌ ଜଳଭଣ୍ଡାର ପାଇଁ ଉଚ୍ଚସ୍ତରୀୟ ଟିମ୍‌ର ପରିଦର୍ଶନ, ହୀରାକୁଦରୁ ନରାଜ ମଧ୍ୟରେ ୪ ସ୍ଥାନ ଚିହ୍ନଟ

କଟକ : ମହାନଦୀର ଜଳ ସିଧା ଯାଇ ସମୁଦ୍ରରେ ମିଶୁଛି। ଉପର ମୁଣ୍ଡରେ ହୀରାକୁଦ ଜଳଭଣ୍ଡାରରୁ ଜଳ ନରାଜ ଦେଇ ଚାଲିଯାଉଛି। ବାଟରେ ଏହାକୁ ଅବରୋଧ ବା ସଂରକ୍ଷିତ ରଖିବା ପାଇଁ କୌଣସି ପ୍ରକଳ୍ପ ନାହିଁ। ଫଳରେ କିପରି ଏହାରି ମଧ୍ୟରେ ପାଣିକୁ ଆବଦ୍ଧ କରାଯାଇପାରିବ ସେଇଥିପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ହୀରାକୁଦରୁ ନରାଜ ମଧ୍ୟରେ ୪ଟି ସ୍ଥାନ ଚିହ୍ନଟ କରାଯାଇଛି। ଏ ସଂପର୍କରେ ଏକ ଦଶଜଣିଆ ଉଚ୍ଚସ୍ତରୀୟ ବୈଷୟିକ ଟିମ୍‌ କ୍ଷେତ୍ର ପରିଦର୍ଶନ କରି ସରକାରଙ୍କୁ ପ୍ରକଳ୍ପର ସ୍ଥିତି ସଂପର୍କରେ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।

ହୀରାକୁଦ ଜଳଭଣ୍ଡାରଠାରୁ ନରାଜ ପର୍ଯ୍ୟନ୍ତ  ଉପରମୁଣ୍ଡରେ ଗୋଧନେଶ୍ବର, ଦେଓଗାଁ, ଖଇରମାଳ, ଗଣିଆ-ନରସିଂହପୁର ଆଦି ୪ଟି ସ୍ଥାନରେ ଇନ୍‌ଷ୍ଟ୍ରିମ୍‌ ଜଳଭଣ୍ଡାର କରାଯିବା ପାଇଁ ସ୍ଥାନ ନିରୂପଣ କରାଯାଇଛି। କିନ୍ତୁ ଏହି ସବୁ ସ୍ଥାନ ଠିକ୍‌ ନା ନାହିଁ ତାର ଅନୁଧ୍ୟାନ ପାଇଁ ଏକ  ଉଚ୍ଚସ୍ତରୀୟ ଦଶଜଣିଆ ବୈଷୟିକ ଟିମ୍‌ ଏହି ୪ଟି ସ୍ଥାନରେ ପହଞ୍ଚି ପ୍ରାଥମିକ ଅନୁଧ୍ୟାନ ସହ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ଏହି ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ପଦକ୍ଷେପ ନେବେ। ଏହା ଆଧାରରେ ପ୍ରକଳ୍ପ ପାଇଁ ଅନୁମୋଦନ କରିବେ ବୋଲି ଆଶା କରାଯାଉଛି। ଅନ୍ୟପଟେ ମହାନଦୀର ଜଳମୁଣ୍ଡରେ ତାରପୁରଠାରେ ମଧ୍ୟ ପ୍ରକଳ୍ପ ପାଇଁ ଖୁବ୍‌ଶୀଘ୍ର ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା କରାଯାଉଛି। ଅନ୍ୟପଟେ  ବ୍ରାହ୍ମଣୀ, ବୈତରଣୀ, ବଂଶଧାରା ଉପରେ ମଧ୍ୟ ପାଣିକୁ ଅଟକାଇବା ପାଇଁ ବିଭିନ୍ନ ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ତଳମୁଣ୍ଡରେ ତାରପୁର ପ୍ରକଳ୍ପ ପାଇଁ ଖୁବ୍‌ଶୀଘ୍ର ଅନୁମୋଦନ ମିଳିବାର ଏକ ପ୍ରକାର ସଙ୍କେତ ମିଳୁଛି।

ସେଚ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଆସିଥିବା ଉଚ୍ଚସ୍ତରୀୟ ବୈଷୟିକ ଟିମ୍‌ରେ ମୁଖ୍ୟଯନ୍ତ୍ରୀ(ପ୍ଲାନିଂ), ମୁଖ୍ୟଯନ୍ତ୍ରୀ(ଡିଜାଇନ), ମୁଖ୍ୟଯନ୍ତ୍ରୀ(ବନ୍ଧବାଡ଼), ନିର୍ମାଣ କର୍ପୋରେସନ୍‌ର ମ୍ୟାନେଜିଂ ଡାଇରେକ୍ଟର ତଥା ମୁଖ୍ୟଯନ୍ତ୍ରୀ, ପ୍ଲାନିଂ, ବନ୍ଧବାଡ଼ ବିଭାଗର ଅଧୀକ୍ଷଣ ଓ ନିର୍ବାହୀଯନ୍ତ୍ରୀ ଏହି ଇନ୍‌ଷ୍ଟ୍ରମ୍‌ ଜଳଳଭଣ୍ଡାର ପାଇଁ ପ୍ରସ୍ତାବିତ ଚିହ୍ନଟ ହୋଇଥିବା ସ୍ଥାନ ବୁଲି ପ୍ରାରମ୍ଭିକ ସର୍ଭେର ବୈଷୟିକ ଦିଗ ଉପରେ କ୍ଷେତ୍ରୀୟ ତନଖି କରିଥିଲେ। ତାଙ୍କ ସହିତ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ନରସିଂହପୁରରେ ଆଲୋଚନା କରିଥିଲେ। ସେମାନଙ୍କ ବୈଷୟିକ ରିପୋର୍ଟ ପରେ ଚୂଡ଼ାନ୍ତ ରୂପରେଖ ଅନୁମୋଦନ ଓ କାର୍ଯ୍ୟକାରିତା ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ ବୋଲି ଆଶା। ଡିମିରିଆଠାରେ ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର ଓ ଜିଲ୍ଲାପରିଷଦ ସଭ୍ୟ ନିର୍ମଳ ଜେନା ସେମାନଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟଯନ୍ତ୍ରୀ(ବନ୍ଧବାଡ଼) ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀଙ୍କ ସହ ପଦାମାଳ-ବାଣେଶ୍ୱରନାଶୀ-ଏକଡ଼ାଳର ନାବାର୍ଡ କାର୍ଯ୍ୟର ସ୍ଥିତି ସମ୍ପର୍କରେ ବିଧାୟକ ଶ୍ରୀ ମିଶ୍ର ଆଲୋଚନା କରି ନିର୍ମାଣ କାର୍ଯ୍ୟ ଧିମେଇ ଥିବା ହେତୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ। ଏହାପରେ ଭଟ୍ଟାରିକା ପୀଠ ସଂଲଗ୍ନ ପ୍ରଟେକ୍‌ସନ୍‌କୁ ସଂପ୍ରସାରିତ କରିବା ପାଇଁ ବୈଷୟିକ ଅନୁମୋଦନ ପାଇଁ ମୁଖ୍ୟଯନ୍ତ୍ରୀ ଓ ଟିମ୍‌ ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର