ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନୁହେଁ ତାଜମହଲକୁ ଆସିଛନ୍ତି ଅଧିକ ପର୍ଯ୍ୟଟକ

ନୂଆଦିଲ୍ଲୀ: ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ପାଇଁ ଉତ୍ସର୍ଗୀକୃତ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଅକ୍ଟୋବର ୩୧ରେ ଉଦ୍‌ଘାଟନ କରିଥିଲେ। ୧୮୨ ମିଟର ଉଚ୍ଚତା ସହ ଏହା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ବିବେଚିତ ହୋଇଛି। ଗତ ଅକ୍ଟୋବର ୩୧ ତାରିଖରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଉଦ୍‌ଘାଟନକୁ ଏକ ବର୍ଷ ପୂରିଥିବାରୁ ସୋସିଆଲ ମିଡିଆରେ ଏଥିନେଇ ବିଭିନ୍ନ ପୋଷ୍ଟ୍‌ କରାଯାଇଥିଲା। ଷ୍ଟାଚ୍ୟୁ ଅଫ୍‌ ୟୁନିଟି ତାଜମହଲଠାରୁ ମଧ୍ୟ ବେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି ଏବଂ ତାଜମହଲର ବାର୍ଷିକ ରୋଜଗାରଠାରୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ବାର୍ଷିକ ରୋଜଗାର ୩ ଗୁଣ ବୋଲି କୁହାଯାଇଛି। ଫେସବୁକ୍‌ ପେଜ୍‌ ‘ଗ୍ଲୋବାଲ୍‌ ହିନ୍ଦୁସ୍‌’ରେ ଦାବି କରାଯାଇଛି ଯେ ଷ୍ଟା‌ଚ୍ୟୁ ଅଫ୍‌ ୟୁନିଟିକୁ ୨୦୧୯ରେ ୨୬ ଲକ୍ଷ ପର୍ଯ୍ୟଟକ ଆସିଛନ୍ତି ଏବଂ ଏହା ୭୧.୬ କୋଟି ରୋଜଗାର କରିଛି। ଏଥିରେ କୁହାଯାଇଛି ଗତ ୩ ବର୍ଷରେ ତାଜମହଲକୁ ବାର୍ଷିକ ୭.୫୦ ଲକ୍ଷ ପର୍ଯ୍ୟଟକ ଆସିଥିବା ବେଳେ ଏହାର ହାରାହାରି ବାର୍ଷିକ ରୋଜଗାର ୨୨.୩ କୋଟି।

କିନ୍ତୁ ‘ଇଣ୍ଡିଆ ଟୁଡେ’ପକ୍ଷରୁ ଏହି ଖବରକୁ ତଥ୍ୟ ସହ ଭୁଲ୍‌ ପ୍ରମାଣିତ କରାଯାଇଛି। ସଂସ୍କୃତି ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ତାଜମହଲ ୬୮ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି ଏବଂ ଏଣ୍ଟ୍ରି ଫି ବାବଦରେ ଏହା ୭୭ କୋଟିରୁ ଅଧିକ ରୋଜଗାର କରିଛି। ୨୦୧୭-୧୮ରେ ତାଜମହଲକୁ ୬୪ ଲକ୍ଷ ପର୍ଯ୍ୟଟକ ଆସିଥିଲେ ଏବଂ ଏହା ୫୬ କୋଟି ରୋଜଗାର କରିଥିଲା। ୨୦୧୬-୧୭ରେ ପ୍ରାୟ ୫୦ କୋଟି ଟଙ୍କା ରୋଜଗାର ହୋଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର