ପାକିସ୍ତାନ ଅପେକ୍ଷା ଚୀନରେ ସ୍ୱାସ୍ଥ୍ୟସେବା ଭଲ, ଏଣୁ ଆମ ଛାତ୍ରଛାତ୍ରୀମାନେ ସେଠାରେ ସୁରକ୍ଷିତ ଅଛନ୍ତି : ପାକ ସରକାର

ଲାହୋର : ଚୀନରେ କରୋନା ଭାଇରସ ବ୍ୟାପିବା ପରେ ଭାରତ ସମେତ ସବୁ ଦେଶ ନିଜ ନିଜର ନାଗରିକମାନଙ୍କୁ ସେଠାରୁ ଉଦ୍ଧାର କରିସାରିଛନ୍ତି । ତେବେ ପାକିସ୍ତାନ ସେଠାରୁ ନିଜ ନାଗରିକମାନଙ୍କୁ ଉଦ୍ଧାର କରିବାକୁ ମନାକରିଦେଇଛି । ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା କହିଛନ୍ତି ଯେ ପାକିସ୍ତାନ ଅପେକ୍ଷା ଚୀନରେ ସ୍ୱାସ୍ଥ୍ୟଭିତ୍ତିଭୂମି ଭଲ ଥିବାରୁ ସେଠାରେ ଥିବା ଛାତ୍ରଛାତ୍ରୀମାନେ ସୁରକ୍ଷିତ ହାତରେ ରହିଛନ୍ତି । ପାକିସ୍ତାନରେ ସ୍ୱାସ୍ଥ୍ୟସେବା ଭଲ ନଥିବାରୁ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇପାରିବ ନାହିଁ ।

ଏହାକୁ ନେଇ ପାକିସ୍ତାନରେ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଚୀନରେ ରହି ପାଠ ପଢୁଥିବା ପ୍ରାୟ ୧ ହଜାରରୁ ଅଧିକ ପାକିସ୍ତାନୀ ଛାତ୍ରଛାତ୍ରୀମାନଙ୍କ ପିତାମାତା ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଅଭିଭାବକମାନଙ୍କୁ ଭେଟିବା ସହ ସେମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ତେବେ ଅଭିଭାବକମାନେ ନିଜ ନିଜ ପିଲାମାନଙ୍କୁ ତୁରନ୍ତି ଫେରାଇ ଆଣିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ କରୋନା ଭାଇରସ ଧୀରେ ଧୀରେ ଚୀନକୁ ଗ୍ରାସିବାକୁ ବସିଲାଣି । ଚୀନ ସରକାରଙ୍କ ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୨୧୧୭ରେ ପହଞ୍ଚିଥିବାବେଳେ ପ୍ରାୟ ୭୪,୫୦୦ ଜଣ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର