ସୁପ୍ରିମକୋର୍ଟ: ଓଡ଼ିଶା ସମେତ ୯ ରାଜ୍ୟରୁ ପ୍ରତିନିଧିତ୍ବ ନାହିଁ

ନୂଆଦିଲ୍ଲୀ : ନ୍ୟାୟିକ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବିବାଦ ଜାରିରହିଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ସୋମବାର ୫ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ନବନିଯୁକ୍ତ ବିଚାରପତିଙ୍କ ସହ ସୁପ୍ରିମକୋର୍ଟରେ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ନୂଆ ବିଚାରପତିଙ୍କ ନିଯୁକ୍ତି ସହ ସୁପ୍ରିମକୋର୍ଟରେ ରାଜ୍ୟମାନଙ୍କରୁ ପ୍ରତିନିଧିତ୍ବର ଅନୁପାତ ମଧ୍ୟ ବଦଳିଛି। ବର୍ତ୍ତମାନ ସୁପ୍ରିମକୋର୍ଟରେ ୧୮ଟି ରାଜ୍ୟରୁ ପ୍ରତିନିଧିତ୍ବ ରହିଛି। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରୁ ଚାରି ଜଣ ଲେଖାଏ, ଗୁଜରାଟ ଏବଂ ମହାରାଷ୍ଟ୍ରରୁ ତିନି ଜଣ ଲେଖାଏ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ତାମିଲନାଡ଼ୁ, ପଶ୍ଚିମବଙ୍ଗରୁ ଦୁଇ ଜଣ ଲେଖାଏ, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ହରିୟାଣା, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରୁ ଜଣେ ଲେଖାଏ ବିଚାରପତି ରହିଛନ୍ତି। ଅନ୍ୟ ପକ୍ଷରେ, ଓଡ଼ିଶା ସମେତ ଜାମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ପଞ୍ଜାବ, ସିକିମ ଓ ତ୍ରିପୁରା ଭଳି ୯ଟି ହାଇକୋର୍ଟରୁ କୌଣସି ପ୍ରତିନିଧିତ୍ବ ନାହିଁ।

୨୦୧୯ ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅବସର ନେବା ପରଠାରୁ ଏବେ ସୁଦ୍ଧା ସୁପ୍ରିମକୋର୍ଟରେ ଅନ୍ୟ କୌଣସି ଓଡ଼ିଆ ବିଚାରପତି ନାହାନ୍ତି। ସୁପ୍ରିମକୋର୍ଟର ବିଚାରପତି ପାଇଁ ଓଡ଼ିଶାର କୌଣସି ବିଚାରପତି କିମ୍ବା ସୁପ୍ରିମକୋର୍ଟ ବାରରୁ କୌଣସି ବରିଷ୍ଠ ଓଡ଼ିଆ ଆଇନଜୀବୀଙ୍କ ନାମ ସୁପାରିସ କରାଯାଇନାହିଁ। ବିଚାରପତି ନିଯୁକ୍ତିରେ ରାଜ୍ୟମାନଙ୍କରୁ ପ୍ରତିନିଧିତ୍ବକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମର କୌଣସି ବାଧ୍ୟବାଧ୍ୟକତା ନାହିଁ। କିନ୍ତୁ କଲେଜିୟମର ସୁପାରିସ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ବିଚାରପତିଙ୍କ ନିଯୁକ୍ତିରେ ରାଜ୍ୟର ପ୍ରତିନିଧିତ୍ବକୁ ସନ୍ତୁଳନ ରକ୍ଷା ପାଇଁ ପ୍ରୟାସ କରାଯାଇଥାଏ। ବିଗତ ୭୩ ବର୍ଷର ଇତିହାସ‌ରେ ଓଡ଼ିଶାରୁ ୭ ଜଣ ସୁପ୍ରିମକୋର୍ଟର ବିଚାରପତି ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ତିନି ଜଣ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

The Hans India

ସ୍ବର୍ଗତ ଜଷ୍ଟିସ୍‌ ରଙ୍ଗନାଥ ମିଶ୍ର ୧୯୮୩ ମାର୍ଚ୍ଚ ୧୫ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ୧୯୯୦ ସେପ୍‌ଟେମ୍ବର ୨୫ରେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୧୯୯୧ ନଭେମ୍ବର ୨୪ରେ ସେ ଅବସର ଗ୍ରହଣ କରିଥିଲେ। ୧୯୯୫ ନଭେମ୍ବର ୯ରେ ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମକୋର୍ଟରେ ବିଚାରପତିଭାବେ ନିଯୁକ୍ତି ପାଇ ୨୦୦୨ ନଭେମ୍ବର ୮ରେ ପ୍ରଧାନ ବିଚାରପତି ହୋଇଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୨୦୦୨ ଡିସେମ୍ବର ୮ରେ ଶେଷ ହୋଇଥିଲା। ସେହିଭଳି ୨୦୧୨ ଏପ୍ରିଲ ୨୩ରେ ଜଷ୍ଟିସ ଦୀପକ ମିଶ୍ର ସୁପ୍ରିମକୋର୍ଟର ବିଚାରପତି ଭାବେ ଯୋଗଦେଇ ୨୦୧୮ ଅକ୍ଟୋବର ୩ରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୯ ନଭେମ୍ବର ୧୧ରେ ସେ ଅବସର ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଉପରୋକ୍ତ ୩ ଓଡ଼ିଆଙ୍କ କାର୍ଯ୍ୟକାଳ ବେଶ ଚର୍ଚ୍ଚିତ ଥିଲା।

ସେହିପରି ବିଚାରପତି ଆର୍‌.ସି ପଟ୍ଟନାୟକ ୧୯୯୧ ଡିସେମ୍ବର ୩ରୁ ୧୯୯୨ ମେ ୩୦ ପର୍ଯ୍ୟନ୍ତ, ବିଚାରପତି ଦେବପ୍ରିୟ ମହାପାତ୍ର ୧୯୯୮ ଡିସେମ୍ବର ୯ରୁ ୨୦୦୨ ପର୍ଯ୍ୟନ୍ତ, ବିଚାରପତି ଅରିଜିତ ପଶାୟତ ୨୦୦୧ ଅକ୍ଟୋବର ୧୯ରୁ ୨୦୦୯ ମେ ୧୦ ପର୍ଯ୍ୟନ୍ତ ଏବଂ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ୨୦୦୯ ନଭେମ୍ବର ୧୭ରୁ ୨୦୧୪ ଜୁନ ୬ ପର୍ଯ୍ୟନ୍ତ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟରେ ଓଡ଼ିଶାର ପ୍ରତିନିଧିତ୍ବ ନଥିବାବେଳେ ଆଗାମୀ ଦିନରେ ସମାନ ଅନୁପାତରେ ରାଜ୍ୟମାନଙ୍କରୁ ବିଚାରପତି ନିଯୁକ୍ତି ପାଇଁ ବିଚାର କରିବାକୁ ଅନେକ ବରିଷ୍ଠ ଆଇନଜୀବୀ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର