ଓଡ଼ିଶାର ୧.୪୯ ଲକ୍ଷ ଆଦିବାସୀ, ବନବାସୀଙ୍କୁ ସାମୟିକ ଆଶ୍ବସ୍ତି

ନୂଆଦିଲ୍ଲୀ : ଓଡ଼ିଶା ସମେତ ୧୬ଟି ରାଜ୍ୟର ୧୧.୮ ଲକ୍ଷ ଆଦିବାସୀ ଏବଂ ବନବାସୀଙ୍କୁ ଉଚ୍ଛେଦ କରିବା ରାୟ ଉପରେ ଆଜି ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଚଳିତ ମ‌ାସ ୧୩ ତାରିଖରେ ସୁପ୍ରିମକୋର୍ଟ ୧୬ଟି ରାଜ୍ୟର ଆଦିବାସୀ ଓ ବନବାସୀଙ୍କୁ ବେଦଖଲ କରିବାପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ନିର୍ଦ୍ଦେଶରେ ସୁପ୍ରିମକୋର୍ଟ ଜଙ୍ଗଲ ଜମିରେ ଆଦିବାସୀ ଓ ବନବାସୀଙ୍କ ଅଧିକାରକୁ ଅସ୍ବୀକାର କରିଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଆଜିର ଆଦେଶ ଫଳରେ ଓଡ଼ିଶାରେ ଉଚ୍ଛେଦ ହେବାକୁ ଥିବା ୧,୪୮,୮୭୦ ଆଦିବାସୀ ଓ ବନବାସୀଙ୍କୁ ସାମୟିକ ଅଶ୍ବସ୍ତି ମିଳିଛି।

ଜଙ୍ଗଲ ଅଧିକାର ଆଇନ ୨୦୦୬ ଅଧୀନରେ ଯେଉଁ ଆଦିବାସୀ (ଏସ୍‌ଟି) ତଥା ଅନ୍ୟ ପାରମ୍ପରିକ (ଓଟିଏଫ୍‌ଡି)ଲୋକଙ୍କ ଜମି ମାଲିକାନା ଦାବି ଖାରଜ ହୋଇଛି ‌ସେମାନଙ୍କୁ ଜଙ୍ଗଲ ଅଞ୍ଚଳରୁ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ଫେବ୍ରୁଆରି ୧୩ ତାରିଖ ନିର୍ଦ୍ଦେଶ ପରିବର୍ତ୍ତନ କରିବାପାଇଁ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଆଜି ଏହି ଆବେଦନର ଶୁଣାଣି ବିଚାରପତି ଅରୁଣ ମିଶ୍ର, ବିଚାରପତି ନବୀନ ସିହ୍ନା ଓ ବିଚାରପତି ଏମ୍ ଏ ଶାହଙ୍କ ଖଣ୍ଡପୀଠରେ ହୋଇଥିଲା। କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କ ଫେବ୍ରୁଆରି ୧୩ ତାରିଖ ଆଦେଶକୁ ଏସ୍‌ଟି ଓ ଓଟିଏଫ୍‌ଡି ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହା ଉପରେ ରୋକ୍‌ ଲଗାଇବାପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ‌ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଯେଉଁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ସେଥିରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ‌ଯେତେବେଳେ ପୂର୍ବ ଆଦେଶ ଦିଆଯାଇଥିଲା ସେତେବେଳେ ବୋଧେ ସରକାର ଶୋଇଥିଲେ। ତେବେ ଜଙ୍ଗଲ ଅଧିକ‌ାର ଆଇନ ଅନ୍ତର୍ଗତ ଜମି ମାଲିକାନା ଦାବି ଗୁଡ଼ିକୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକ୍ରିୟା ଅନ୍ତର୍ଗତ କା‌ର୍ଯ୍ୟକାରୀ କରାଯାଇଥିଲା କି ନାହିଁ ସେନେଇ ପରୀକ୍ଷା ପାଇଁ ଆଜି ଖଣ୍ଡପୀଠ ରାଜି ହୋଇଥିଲେ। କୋର୍ଟ ରାଜ୍ୟମାନଙ୍କୁ ବିସ୍ତୃତ ସତ୍ୟପାଠ ଦାଖଲ କରିବାପାଇଁ ନି‌ର୍ଦ୍ଦେଶ ଦେଇଥିଲେ। ୪ ମାସ ଭିତରେ ରାଜ୍ୟମାନେ ଜମି ମାଲିକାନା ଦାବିକୁ ବିଚାର କରିବା ସମ୍ପର୍କିତ ସମସ୍ତ ପ୍ରକ୍ରିୟା ତଥା ଦାବି ଖାରଜ ସମ୍ପର୍କରେ ବିବରଣୀ ପ୍ରଦାନ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି ଯେ ଜଙ୍ଗଲ ଜମି ପ୍ରଭାବଶାଳୀ ଓ ଯେଉଁମାନେ ହକ୍‌ଦାର ନୁହନ୍ତି ସେମାନଙ୍କ କବ୍‌ଜାରେ ରହିବନାହିଁ। ତେବେ ଶୁଣାଣି ସମୟରେ‌ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ‌ଯେ ରାଜ୍ୟମାନଙ୍କ ଦ୍ବାରା ପ୍ରକ୍ରିୟା ପାଳନ କରାଯାଇନଥିଲା। କିଛି ମାମଲାରେ ଧାଡ଼ିକିଆ ଆଦେଶ ପାସ୍‌ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦ ତାରିଖରେ ହେବ ବୋଲି ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର