‘ଭାରତ ଅଧିକୃତ କଶ୍ମୀର’ ବୋଲି କିଛି ନାହିଁ

କଶ୍ମୀରୀ ଛାତ୍ରଙ୍କୁ ସୁଷମାଙ୍କ ଜବାବ

ନୂଆଦିଲ୍ଲୀ: ବିଦେଶରେ ଅସୁବିଧାର ସମ୍ମୁଖୀନ ହେଉଥିବା ବିଭିନ୍ନ ଭାରତୀୟ ନାଗରିକଙ୍କୁ ସବୁବେଳେ ସହଯୋଗର ହାତ ବଢ଼ାଇଥାନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଏନେଇ ସୁଷମାଙ୍କ ଲୋକପ୍ରିୟତା ମଧ୍ୟ ବେଶ୍‌ ଅଧିକ। ତେବେ ଫିଲିପାଇନ୍ସରେ ରହୁଥିବା ଜମ୍ମୁ କଶ୍ମୀରର ଜଣେ ଛାତ୍ର ଆଜି ପାସ୍‌ପୋର୍ଟ ପ୍ରସଙ୍ଗରେ ସୁଷମାଙ୍କ ସହାୟତା ଲୋଡ଼ିଥିବାବେଳେ ତାଙ୍କୁ ପ୍ରଥମେ ସୁଷମା ଯେଉଁଭଳି ଉତ୍ତର ଦେଇଥିଲେ ତାହା ଆଜି ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଛାତ୍ର ଜଣଙ୍କ ତାଙ୍କ ଟ୍ଵିଟର ଲୋକେସନ୍‌ରେ ସେ ‘ଭାରତ ଅଧିକୃତ କଶ୍ମୀର’ ବୋଲି ଉଲ୍ଲେଖ କରିଥିଲେ ଏବଂ ପାସ୍‌ପୋଟ୍‌ର୍ ପାଇଁ ସେ ସୁଷମାଙ୍କଠାରୁ ସହଯୋଗ ଲୋଡ଼ିଥିଲେ। ତେବେ ସୁଷମା କହିଥିଲେ ଯେ ଭାରତ ଅଧିକୃତ କଶ୍ମୀର ଭଳି ସ୍ଥାନ ଭାରତରେ ନାହିଁ। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ ଚେତାଇ ଦେଇଥିଲେ। ଯଦି ସେ ଜମ୍ମୁ କଶ୍ମୀରର ହୋଇଥିବେ ତା’ହେଲେ ତାଙ୍କୁ ତୁରନ୍ତ ସହଯୋଗ ଯୋଗାଇ ଦିଆଯିବ, କିନ୍ତୁ ଭାରତ ଅଧିକୃତ କଶ୍ମୀର ପରି ସ୍ଥାନ ଭାରତରେ ନାହିଁ ବୋଲି ସୁଷମା ତାଙ୍କୁ କହିଛନ୍ତି। ସୁଷମାଙ୍କଠାରୁ ଉତ୍ତର ପାଇବାପରେ ଉକ୍ତ ଛାତ୍ର ସଙ୍ଗେ ସଙ୍ଗେ ଟ୍ଵିଟରରୁ ତାଙ୍କ ସ୍ଥାନ ବଦଳାଇ ଜମ୍ମୁ କଶ୍ମୀର ରଖିଥିଲେ।

ସମ୍ବନ୍ଧିତ ଖବର