ଅଗଷ୍ଟ ୩୧ ସୁଦ୍ଧା କେବଳ ବିଦେଶୀ ନାଗରିକ ଯାଇପାରିବେ, ଆଫଗାନ ନାଗରିକ ଦେଶ ଛାଡ଼ିପାରିବେ ନାହିଁ : ତାଲିବାନ

କାବୁଲ : ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର  କରିବାର ଅଗଷ୍ଟ ୩୧ ଶେଷ ତାରିଖ ଏବେ ବି କାଏମ ରହିଛି । ଶେଷ ତାରିଖକୁ ସଂପ୍ରସାରଣ କରିବା ଲାଗି କୌଣସି ବୁଝାମଣା ହୋଇନାହିଁ ବୋଲି ତାଲିବାନ ପକ୍ଷରୁ ଆଜି କୁହାଯାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସବୁ ଆମେରିକୀୟ ଓ ନାଟୋ ସୈନ୍ୟ ଚାଲିଯିବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଆମେରିକୀୟ ଓ ବିଦେଶୀ ନାଗରିକମାନେ ଆଫଗାନିସ୍ତାନ ଛାଡ଼ି ଯାଇପାରିବେ । କିନ୍ତୁ ଆଫଗାନ ନାଗରିକମାନେ ଦେଶ ଛାଡ଼ିପାରିବେ ନାହିଁ ।

ସେ କହିଛନ୍ତି ଯେ, ଖୁବ ଶୀଘ୍ର ସରକାର ଗଠନ କରାଯିବ । ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ମହିଳାମାନଙ୍କ ଅଧିକାର ସମ୍ପର୍କରେ ସେ କହିଛନ୍ତି ଯେ, ଆଫଗାନ ମହିଳାମାନେ ଯେପରି କାମ କରିପାରିବେ ସେଥିଲାଗି ଏକ ଯୋଜନା ପ୍ରସ୍ତୁତ କରାଯାଉଛି । ସେ ପର୍ଯ୍ୟନ୍ତ ମହିଳାମାନେ ଘରେ ରୁହନ୍ତୁ ଓ ସେମାନଙ୍କ ନିକଟରେ ଦରମା ପହଞ୍ଚିବ ।

ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ଓ ତାଲିବାନ ମଧ୍ୟରେ ହୋଇଥିବା ଗୋପନ ଆଲୋଚନା ସମ୍ପର୍କରେ ସେ କୌଣସି ସୂଚନା ଦେଇପାରିବେ ନାହିଁ ବୋଲି ମୁଜାହିଦ କହିଛନ୍ତି ।  ଗତ ସପ୍ତାହରେ କାବୁଲ ଦଖଲ କରିବା ପରେ ଏହା ହେଉଛି ତାଲିବାନର ଦ୍ବିତୀୟ ସାମ୍ବାଦିକ ସମ୍ମିଳନୀ ।

ସମ୍ବନ୍ଧିତ ଖବର