ଆଫଗାନିସ୍ତାନରେ ଥିବା ନାଗରିକଙ୍କୁ ତୁରନ୍ତ ଭାରତ ଫେରିବାକୁ ନିର୍ଦ୍ଦେଶ

ଭୟଙ୍କର ରୂପ ନେଉଛି ତାଲିବାନ ହିଂସା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବାପାଇଁ ଜୋରଦାର ପ୍ରକ୍ରିୟା ଜାରି ରହିଛି। ହିଂସା ପ୍ରବଣ ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକମାନେ ବାଣିଜ୍ୟିକ ବିମାନ ସେବା ବନ୍ଦ ହେବା ପୂର୍ବରୁ ତୁରନ୍ତ ଭାରତ ଫେରି ଆସିବାକୁ କୁହାଯାଇଛି। ଆଫଗାନିସ୍ତାନରେ ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଥିବାରୁ ବିଭିନ୍ନ ପ୍ରଦେଶକୁ ବାଣିଜ୍ୟିକ ବିମାନ ସେବା ବନ୍ଦ ହୋଇଯାଉଛି। ତେଣୁ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିବା ପୂର୍ବରୁ ଆଫଗାନିସ୍ତାନରେ ଥିବା ନାଗରିକ ତୁରନ୍ତ ଭାରତ ଫେରିବାପାଇଁ ବ୍ୟବସ୍ଥା କରିବାକୁ ଆଫଗାନିସ୍ତାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ବିବୃତି ଜାରି ହୋଇଛି। ଗୋଟିଏ ପଟେ ଆଫଗାନିସ୍ତାନରେ ଚାଲୁଥିବା ବିଭିନ୍ନ ଭାରତୀୟ କମ୍ପାନି ସେମାନଙ୍କ ଭାରତୀୟ କର୍ମଚାରୀଙ୍କୁ ତୁରନ୍ତ ଖାଲି କରିବାପାଇଁ କୁହାଯାଇ ଥିବାବେଳେ ଅନ୍ୟପଟେ ଭାରତ ଫେରିବା ପାଇଁ ଭାରତୀୟମାନ‌େ ‌ସେମାନଙ୍କ ନିଯୁକ୍ତିଦାତାଙ୍କ ସହ ତୁରନ୍ତ ଯୋଗାଯୋଗ କରିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଆଜି ଦିନରେ ଆଫଗାନିସ୍ତାନର ମଜର ଏ ସରିଫ୍‌ରେ ଥିବା ଭାରତୀୟ ନାଗରିକମାନେ ତୁରନ୍ତ ଉକ୍ତ ସ୍ଥାନ ଛାଡ଼ିଦେବାପାଇଁ ସରକାର ଅନୁରୋଧ କରିଥିଲେ। ତାଲିବାନ୍‌ମାନେ ମଜର ଏ ସରିଫ୍‌ ଉପରେ ଆକ୍ରମଣ ପାଇଁ ଚାରିପଟୁ ମାଡ଼ି ଆସୁଥିବା ଜଣାପଡ଼ିବା ପରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ନାଗରିକଙ୍କୁ ଖାଲି କରିବାପାଇଁ ଚେଷ୍ଟା ଚଳାଇଛନ୍ତି। ଆଜି ସନ୍ଧ୍ୟାରେ ମଜର ଏ ସରିଫ୍‌ରୁ ନୂଆଦିଲ୍ଲୀକୁ ଏକ ସ୍ବତନ୍ତ୍ର ବିମାନ ଆସୁଥିବାବେଳେ ଏହି ବିମାନରେ ମଜର ଏ ସରିଫ୍‌ରେ ଥିବା ନାଗରିକମାନେ ଭାରତ ଆସିବାକୁ କୁହାଯାଇଛି। ମଜର ଏ ସରିଫ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଜି ଏନେଇ ଘୋଷଣା କରି କୁହାଯାଇଛି। ଯେଉଁ ଭାରତୀୟ ସ୍ବତନ୍ତ୍ର ବିମାନରେ ଭାରତ ଆସିବାକୁ ଚାହୁଛନ୍ତି ସେମାନେ ସେମାନଙ୍କ ପୂରା ନାମ, ପାସପୋର୍ଟ ନମ୍ବର ଏକ ହ୍ବାଟ୍ସଆପ୍‌ ନମ୍ବରରେ ପଠାଇବାକୁ କୁହାଯାଇଛି। ଏହି ହ୍ବାଟ୍ସଆପ୍‌ ନମ୍ବର ମଧ୍ୟ ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ ଗତ ମାସରେ କାନ୍ଦାହାରରେ ୫୦ ଭାରତୀୟ କୂଟନୈତିକ କାର୍ଯ୍ୟକର୍ତ୍ତାଙ୍କୁ ଖାଲି କରାଯାଇଥିଲା। ଆଫଗାନିସ୍ତାନରେ ଏବେ ପ୍ରାୟ ୧୫୦୦ ଭାରତୀୟ ଅଛନ୍ତି। ତାଲିବାନ୍‌ମାନେ ଆଫଗାନିସ୍ତାନର ୬ ପ୍ରାଦେଶିକ ରାଜଧାନୀକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଲେଣି। ଏବେ ସେମାନେ ମଜର ଏ ସରିଫ୍‌ ଉପରେ ନଜର ରଖିଛନ୍ତି। ମଜର ଏ ସରିଫ୍‌ ଉତ୍ତର ଆଫଗାନିସ୍ତାନର ସବୁଠୁ ବଡ଼ ସହର। ତାଲିବାନମାନେ ମଜର ଏ ସରିଫ୍‌ ଉପରେ ଆକ୍ରମଣ ଯୋଜନା କରିସାରିଛି। ତେଣୁ ଭାରତ ମଜରରୁ ନିଜର ନାଗରିକଙ୍କ ସହ କୂଟନୈତିକ କାର୍ଯ୍ୟକର୍ତ୍ତାଙ୍କୁ ଖାଲି କରିଛି।

ସମ୍ବନ୍ଧିତ ଖବର