ଶିବ ବେଶ ଧାରଣ କରି ପୂଜାର୍ଚ୍ଚନା କରିବା ପରେ ଜଳାଭିଷେକ ପାଇଁ କାଉଡ଼ିଆ ଯାତ୍ରାରେ ବାବା ବୈଦ୍ୟନାଥ ଧାମ ବାହାରିଲେ ତେଜ୍‌ ପ୍ରତାପ

ପାଟନା (ବିହାର): ଆସନ୍ତା ଶ୍ରାବଣ ସୋମବାର ଦିନ ଝାଡ଼ଖଣ୍ଡ ଦେଓଘରରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ବୈଦ୍ୟନାଥ ଧାମରେ ମହାଦେବ ଶିବଙ୍କୁ ଜଳାଭିଷେକ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଆଜି ପାଟନାରୁ କାନ୍ଧରେ ଜଳଭାର ଧରି କାଉଡ଼ିଆ ଯାତ୍ରାରେ ବାହାରିଛନ୍ତି। ତେବେ, କାଉଡ଼ିଆ ଯାତ୍ରାରେ ବାହାରିବା ପୂର୍ବରୁ ପୂଜାର୍ଚ୍ଚନା କାରି ଜଳଭାର ଉଠାଇବା ପାଇଁ ତେଜ ପ୍ରତାପ ଯେଉଁ ବେଶ ଧାରଣ କରି ଯେତେବେଳେ ପାଟନାରେ ଥିବା ଶିବ ମନ୍ଦିରରେ ପହଞ୍ଚିଥିଲେ, ସେତେବେଳେ ସେଠାରେ ତାଙ୍କୁ ଦେଖିବା ପାଇଁ ଲୋକ ଗହଳି ଆରମ୍ଭ ହୋଇ ଯାଇଥିଲା।


କାରଣ, ଅଣ୍ଟା ତଳକୁ ଏକ ବାଘ ଛାଲ ସଦୃଶ ଗାମୁଛା, ଦେହରେ ଗୋଟିଏ ଗେରୁଆ ଗେଞ୍ଜି ସହ ବେକରେ ରୁଦ୍ରାକ୍ଷ ମାଳା ପକାଇ ଗୋଟିଏ ହାତରେ ଡମ୍ବରୁ ଓ ଅନ୍ୟ ହାତରେ ଶଙ୍ଖ ଧରି ଶିବଙ୍କ ବେଶ ଧାରଣ କରି ଯେଉଁ ଢ଼ଙ୍ଗରେ ମନ୍ଦିର ଭିତରେ ପ୍ରବେଶ କରି ଡମ୍ବରୁ ବଜାଇବା ସହ ଶଙ୍ଖ ଫୁଙ୍କିଲେ ସେତେବେଳେ ଏ ଖବର ତଡ଼ିତ୍‌ ବେଗରେ ସହରରେ ପ୍ରଚାରିତ ହୋଇ ଯାଇଥିଲା ଏବଂ ସାଧାରଣ ଲୋକମାନେ ତାଙ୍କୁ ଦେଖିବା ପାଇଁ ମନ୍ଦରରେ ଭିଡ଼ ଜମାଇଲେ। କାରଣ, ଏହା ପୂର୍ବରୁ ଗତ ମାସରେ ତେଜ୍‌ ପ୍ରତାପ ‘ରୁଦ୍ର: ଦ ଅବତାର’ ଶୀର୍ଷକ ଏକ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ନେଇ ନିଜର ଏକ ପୋଷ୍ଟର ପ୍ରକାଶ କରାଇ ଥିଲେ ସେତେବେଳେ ତାଙ୍କୁ ନେଇ ବିହାରରେ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର