କୃଷକ ବନ୍ଧୁ ଭାବେ ତେଲେଙ୍ଗାନା ଶ୍ରେଷ୍ଠ ରାଜ୍ୟ

ହାଇଦ୍ରାବାଦ : ଚାଷୀମାନଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଚାରି ବର୍ଷ ଭଳି ସ୍ୱଳ୍ପ କାର୍ଯ୍ୟକାଳ ଭିତରେ ସେ ଚାଷୀମାନଙ୍କ ପାଇଁ ୫୦ରୁ ଅଧିକ ପ୍ରୋତ୍ସାହନ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଷୀଙ୍କୁ ଚବିଶ ଘଣ୍ଟା ବିଦ୍ୟୁତ ଶକ୍ତି ଯୋଗାଣ, କୃଷି ଋଣ ଛାଡ଼, ଗୋଦାମ ଘର ନିର୍ମାଣ ଭଳି ପଦକ୍ଷେପ ଘୋଷଣା କରିବା ସହିତ ନିକଟରେ ସେ ରାୟତୁ ବନ୍ଧୁ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନାରେ ଚାଷୀମାନଙ୍କୁ ଏକର ପିଛା ବର୍ଷକୁ ୮୦୦୦ ଟଙ୍କା ପ୍ରଦାନ ଚେକ୍‌ ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ। ଖରିଫ ଋତୁରେ ଚାରି ହଜାର ଟଙ୍କା ଓ ରବି ଋତୁ ପାଇଁ ଚାରି ହଜାର ଟଙ୍କା ପ୍ରଦାନ କରାଯିବ। ଏହି ସବୁ ଅଭିନବ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରି କୃଷକମାନଙ୍କ ପାଇଁ ତେଲେଙ୍ଗାନା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଉଭା ହୋଇଛି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓଙ୍କ ଲକ୍ଷ୍ୟ ହେଉଛି ରାଜ୍ୟରୁ ଶ୍ରମିକ ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବା, କୃଷି ଉତ୍ପାଦକତା ବଢ଼ାଇବା ଓ ମୁଣ୍ଡପିଛା ଆୟରେ ଉନ୍ନତି ଆଣିବା। ସେଥିପାଇଁ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବୁ ପ୍ରକାର କୃଷି ଭିତ୍ତିକ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ରାଓ କହିଛନ୍ତି ଯେ, ଜଣେ ଚାଷୀ ହିସାବ ମୁଁ ସେମାନଙ୍କ ଦୁଃଖ, ଯନ୍ତ୍ରଣା ଓ ପ୍ରତିବନ୍ଧକକୁ ଭଲ ଭାବେ ବୁଝିଛି। ତେଣୁ ଆମ ସରକାର ସେମାନଙ୍କୁ ବୁଣାବୁଣିଠାରୁ ଆରମ୍ଭ କରି ମାର୍କେଟିଂ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ଉପରେ କାମ କରୁଛି। ଚାଷୀମାନେ ଆମ ସରକାରର ମୂଳଦୁଆ ବୋଲି ସେ କହିଛନ୍ତି।

ତେଲେଙ୍ଗାନା ସରକାର ଚାଷୀଙ୍କୁ ଟ୍ରାକ୍ଟର କିଣାକିଣି ଉପରେ ୫୦% ସବ୍‌ସିଡି ଦେଉଥିବା ବେଳେ ପରିବହନ ଟିକସ ଉଚ୍ଛେଦ କରିଛନ୍ତି। ଉପଯୁକ୍ତ ସମୟରେ ଗୁଣାତ୍ମକ ବିହନ ଓ ସାର ଯୋଗାଇ ଦେଉଛନ୍ତି। କୃଷିଜାତ ସାମଗ୍ରୀ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଶ୍ରେଷ୍ଠ ପଦ୍ଧତିକୁ ତେଲେଙ୍ଗାନା ଗ୍ରହଣ କରିଛି।

ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚୀ ଅନୁଯାୟୀ, କୃଷକ ବନ୍ଧୁ ରାଜ୍ୟ ଭାବେ ତେଲେଙ୍ଗାନା ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ତେଲେଙ୍ଗାନାକୁ ୫୪.୩% ଗୁରୁତ୍ୱ ମିଳିଛି। କୃଷି ବଜାରରେ ସଂସ୍କାର ଆଣିବା, ଜମି, ଘରୋଇ ଜମିରେ ନବୀକରଣ ଓ ବୃକ୍ଷରୋପଣ ଆଦି କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ ପଦକ୍ଷେପ ଯୋଗୁଁ ତେଲେଙ୍ଗାନାକୁ ରାଜ୍ୟଗୁଡ଼ିକ ମଧ୍ୟରେ ନବମ ର‍୍ୟାଙ୍କ ପ୍ରଦାନ କରାଯାଇଛି।

୨୦୧୮-୧୯ରେ ମୋଟ ବଜେଟ୍‌ର ୨୬% କୃଷି କ୍ଷେତ୍ର ପାଇଁ ଆବଣ୍ଟନ କରାଯାଇଛି। ଚାଷୀଙ୍କୁ ମାଗଣା ବିଦ୍ୟୁତ ଶକ୍ତି ପାଇଁ ୩୭୨୮ କୋଟି ଟଙ୍କା ଓ କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ର ପାଇଁ ୨୦,୮୨୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ବର୍ଷକୁ କୃଷି କ୍ଷେତ୍ରରେ ୩୭,୯୬୮ କୋଟି ଟଙ୍କା ଖର୍ଚ କରାଯାଇଥିବାରୁ କୃଷି ଉତ୍ପାଦନ ୧୦୧.୨୯ ଲକ୍ଷ ଟନ୍‌ ସ୍ତରରେ ପହଞ୍ଚିଛି। ଏହା ୨୦୧୭-୧୮ରେ ୧୦୦ ଲକ୍ଷ ଟନ୍‌ ଥିଲା।

ସମ୍ବନ୍ଧିତ ଖବର