ଦେଶବାସୀଙ୍କୁ ଆଶ୍ବସ୍ତ କଲେ ହର୍ଷବର୍ଦ୍ଧନ, ଦେଶ କରୋନାକୁ ଭଲଭାବେ ମୁକାବିଲା କରିପାରିଛି

ଟେଷ୍ଟିଂ ୧ କୋଟିରେ ପହଞ୍ଚିବ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢ଼ି ଚାଲିଥିବାରୁ ଲୋକମାନଙ୍କ ମଧ୍ୟ‌ରେ ଭୟ ବଢ଼ିଛି। ଦେଶରେ କରୋନା ସଂକ୍ରମଣ ମାମଲା ଆଜି ୬ ଲକ୍ଷ ଟପିଯାଇଛି। ତେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି। ଲୋକମାନେ ଆଦୌ ଭୟଭୀତ ନହେବା ପାଇଁ ହର୍ଷବର୍ଦ୍ଧନ କହିଛନ୍ତି। ୧୩୪ କୋଟି ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ୬ ଲକ୍ଷ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୬୦ ହଜାର ଆରୋଗ୍ୟ ହୋଇ ସାରିଛନ୍ତି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ବିଶ୍ବରେ ସବୁଠୁ କମ୍‌ ତଥା ୨.୯୪ ପ୍ରତିଶତ ରହିଛି। ଦେଶରେ ଆରୋଗ୍ୟ ହାର ୬୦ ପ୍ରତିଶତର ନିକଟବର୍ତ୍ତୀ ହୋଇଛି ଏବଂ ମାମଲା ଦ୍ବିଗୁଣା ‌ହେବାପାଇଁ ୨୧-୨୨ ଦିନ ଲାଗୁଛି। ତେଣୁ ଭୟ କରିବାର କିଛି ନାହିଁ । ଆମର ଟେଷ୍ଟିଂ ମଧ୍ୟ ବଢ଼ାଯାଇଛି।

ଦେଶରେ ଏଯାବତ୍‌ ୯୧ ଲକ୍ଷ ଟେଷ୍ଟ୍‌ ହୋଇଛି। ଆଉ କିଛିଦିନ ମଧ୍ୟରେ ଏହା ୧ କୋଟିରେ ପହଞ୍ଚିବ। ଗୋଟିଏ ଲାବ୍ରୋଟୋରିରୁ ଦେଶରେ ଟେଷ୍ଟିଂ ଆରମ୍ଭ ହୋଇଥିଲା। ଏବେ ଆମ ପାଖରେ ୧,୦୬୫ ଲାବ୍ରୋଟୋରି ଅଛି। ଦେଶରେ ୧୧୮ ଲକ୍ଷ ପିପିଇ କିଟ୍‌ ବଣ୍ଡନ କରାଯାଇଛି ଏବଂ ୧୯୫ ଲକ୍ଷ ଏନ୍‌-୯୫ ମାସ୍କ ବଣ୍ଟନ କରାଯାଇଛି ବୋଲି ସେ କହିଛନ୍ତି। ଦେଶ କରୋନା ବିରୋଧରେ ବେଶ୍‌ ଭଲଭାବେ ମୁକାବିଲା କରୁଛି। ଆରମ୍ଭରୁ ହିଁ ଭାରତ କରୋନା ବିରୋଧରେ ଲଢ଼େଇକୁ ଜୋରଦାର କରିଛି। ସ୍ବାସ୍ଥ୍ୟ ଭିତ୍ତିଭୁମି ସୁଦୃଢ଼ କରିଛି। ଏବେ ବି ଦେଶରେ ଯେଉଁ ଭିତ୍ତିଭୁମି ରହିଛି ତାହାର ସମ୍ପୂର୍ଣ୍ଣ ବ୍ୟବହାର ହୋଇନି। ଦେଶରେ ଥିବା କୋଭିଡ୍‌ ହସ୍ପିଟାଲ୍‌, କୋଭିଡ୍‌ ହେଲ୍‌ଥ ‌ସେଣ୍ଟର, କୋଭିଡ୍‌ କେୟାର ସେଣ୍ଟର୍‌ରେ ୧.୩ ବିଲିଅନ୍‌ରୁ ଅଧିକ ବେଡ୍‌ ଉପଲବ୍ଧ ରହିଛି। ଏହାସତ୍ତ୍ବେ ଭବିଷ୍ୟତ ପାଇଁ ଆହୁରି ପ୍ରସ୍ତୁତି ଜାରି ରହିଛି। ସବୁ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରାଯାଉଛି। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏଦିଗରେ ଅହରହ କାମ କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର