ବୁଷ୍ଟର ଡୋଜ୍‌କୁ ନେଇ ଶୀଘ୍ର ଘୋଷଣା ହୋଇପାରେ: ପୁନାୱାଲା

ନୂଆଦିଲ୍ଲୀ: ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ)ର ସିଇଓ ଆଦର ପୁନାୱାଲା ସୋମବାର କହିଛନ୍ତି ଯେ ଯାତ୍ରୀମାନଙ୍କ ପାଇଁ ବୁଷ୍ଟର ବ୍ୟବସ୍ଥା କରିବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଏବଂ ସରକାର ଏ ବିଷୟରେ ବିଚାରବିମର୍ଶ କରୁଛନ୍ତି। ଖୁବ୍‌ଶୀଘ୍ର ଏ ବାବଦରେ କିଛି ଘୋଷଣା ହୋଇପାରେ ଏବଂ ବୁଷ୍ଟର ପାଇଁ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ପାଖରେ ଯଥେଷ୍ଟ ଟିକା ମହଜୁଦ ଅଛି ବୋଲି ସେ କହିଛନ୍ତି।ବର୍ତ୍ତମାନ ଚୀନ୍‌ରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଭାରତରେ କମୁଛି। ମଙ୍ଗଳବାର କ୍ରମାଗତ ଦ୍ବିତୀୟ ଦିନ ପାଇଁ ଭାରତରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ୧୦୦୦ ତଳେ ରହିଛି। ଆଜି ନୂତନ ସଂକ୍ରମିତଙ୍କ ସଂଖ୍ୟା ୭୯୫ ହୋଇଥିବା ବେଳେ ମୋଟ ସକ୍ରିୟ ସଂକ୍ରମଣ ୧୨,୦୫୪ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି। ଭାରତରେ ସକ୍ରିୟ ରୋଗୀ ସଂଖ୍ୟା ମୋଟ ସଂକ୍ରମଣର ୦.୦୩ ପ୍ରତିଶତ ହୋଇଥିବା ବେଳେ ସୁସ୍ଥତା ହାର ୯୮.୭୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୧,୨୮୦ ଜଣ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୪,୨୪,୯୬,୩୬୯ରେ ପହଞ୍ଚିଛି। ସେହିପରି ଡୋଜ୍ ହିସାବରେ ଟିକାଦାନ ସଂଖ୍ୟା ୧୮୪.୮୭ କୋଟି ହୋଇଥିବା କୋ-ୱିନ୍ ଡ୍ୟାସ୍‌ବୋର୍ଡରୁ ଜଣାପଡ଼ିଛି। ତେବେ ଚୀନ୍, ଫ୍ରାନ୍ସ ପ୍ରଭୃତି ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଭାରତରେ ବୁଷ୍ଟର ଦେବାର ଆବଶ୍ୟକତା ଉପରେ ସରକାର ଚିନ୍ତା କରିବା ଉଚିତ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର