ଘୋର ଆର୍ଥିକ ସଂକଟରେ କଂଗ୍ରେସ: ଦେଶବ୍ୟାପୀ ଭୂସମ୍ପତ୍ତିର ତାଲିକା କରିବ

ପ୍ରତି ରାଜ୍ୟରେ ‘ସମ୍ପତ୍ତି ପ୍ରଭାରୀ’ ନିଯୁକ୍ତି ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେଆଇନ ଜମି ଜବରଦଖଲ ଓ ଟିକସ ଖିଲାପି ଜନିତ କାର୍ଯ୍ୟାନୁଷ୍ଠାନ ଆଦିର ଭୟ ହେତୁ କଂଗ୍ରେସ ଦେଶ ସାରା ଥିବା ତା’ର ପ୍ରଭୂତ ଘର ଓ ଜମି ଆଦିକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ଆରମ୍ଭ କରିଛି। ଦଳର ଯେଉଁଠି ଯେତେ ସମ୍ପତ୍ତି ଅଛି ତା’ର ହିସାବ ଓ ପୂର୍ଣ୍ଣାଙ୍ଗ ବିବରଣୀ ଦେବା ପାଇଁ ରାଜ୍ୟ ଶାଖାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ପ୍ରତ୍ୟେକ ରାଜ୍ୟ ଶାଖାର ଜଣେ କର୍ମକର୍ତ୍ତାଙ୍କୁ ‘ସମ୍ପତ୍ତି ପ୍ରଭାରୀ’ (ଇନ୍‌ଚାର୍ଜ ଅଫ୍ ପ୍ରପର୍ଟିଜ୍) ଭାବେ ମନୋନୀତ କରିବା ପାଇଁ କଂଗ୍ରେସ ଆଦେଶ ଦେଇଛି। ତାଙ୍କର ଦାୟିତ୍ବ ହେବ ସମ୍ପୃକ୍ତ ରାଜ୍ୟରେ ଦଳର ଯେଉଁଠି ଯେତେ ସମ୍ପତ୍ତି ଅଛି, ତା’ର ହିସାବ ରଖିବା। କେତେ ସମ୍ପତ୍ତି କିଣାଯାଇଛି ଓ କେତେ ଲିଜ୍‌ରେ ନିଆଯାଇଛି, ସମ୍ପତ୍ତି କର ବା ଲିଜ୍ ଦେୟ ଠିକ୍‌ଭାବେ ପଇଠ କରାଯାଇଛି କି ନାହିଁ ଏସବୁ ଦେଖିବା ତାଙ୍କର କାମ ହେବ। ଏହାଛଡ଼ା ଜମିକୁ ନେଇ କେଉଁଠି କିଛି ବିବାଦ, ଜବରଦଖଲ ବା ମାଲିମକଦ୍ଦମା ଅଛି କି ନାହିଁ ତାହା ବି ଅନୁଧ୍ୟାନ ହେବ। ଏଆଇସିସି କୋଷାଧ୍ୟକ୍ଷ ପୱନ ବନ୍‌ସଲ ସମସ୍ତ ପିସିସି ଓ ରାଜ୍ୟ ପ୍ରଭାରୀମାନଙ୍କୁ ଦୁଇ ସପ୍ତାହ ପୂର୍ବରୁ ଏ ବାବଦରେ ଦୁଇଟି ନିର୍ଦ୍ଦେଶନାମା ଜାରି କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଦେଶ ସ୍ବାଧୀନତା ପୂର୍ବରୁ କଂଗ୍ରେସ ଦଳର ସୃଷ୍ଟି ଏବଂ ସବୁ ରାଜ୍ୟରେ ଜିଲ୍ଲାରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ଏହାର ପ୍ରଭୂତ ଭୂସମ୍ପତ୍ତି ରହିଛି। କେତେକ ଜାଗାରେ କିଛି ଦଳୀୟ ସମ୍ପତ୍ତିକୁ ବେଆଇନ ଭାବେ ହଡ଼ପ କରାଯାଇଛି। ସ୍ଥଳ ବିଶେଷରେ ଦଳୀୟ କର୍ମକର୍ତ୍ତା ନିଜେ ହଡ଼ପ କରିଛନ୍ତି ବା ତାଙ୍କ ନୀରବ ସମର୍ଥନରେ ଏହା ହୋଇଛି। ୨୦୧୪ରୁ କ୍ଷମତାରୁ ଗଲା ପରେ କଂଗ୍ରେସ ସମ୍ପ୍ରତି ଗୁରୁତର ରାଜନୈତିକ ତଥା ଆର୍ଥିକ ସଂକଟ ଦେଇ ଗତି କରୁଛି। ସମ୍ପତ୍ତି ଉପରେ ବି ଏଯାଏ ବିଶେଷ ଦୃଷ୍ଟି ଦିଆଯାଇ ନ ଥିଲା। ଏ ବିଷୟରେ ୨୦୧୫ରେ ପ୍ରଥମେ ଚିନ୍ତା କରାଯାଇଥିଲା। ନିଜର ଲମ୍ବା ଇତିହାସକୁ ଦେଖିଲେ ରାଜନୀତିରେ କଂଗ୍ରେସକୁ ସବୁଠାରୁ ବଡ଼ ‘ଭୂମ୍ୟଧିକାରୀ’ ଭାବେ ଜଣାଯାଇଥାଏ। ସାମ୍ପ୍ରତିକ ଆର୍ଥିକ ସଂକଟ ପରିପ୍ରେକ୍ଷୀରେ ଜମିଗୁଡ଼ିକ ଯଦି ଥରେ ଚିହ୍ନଟ କରିଦିଆଯାଏ, ତେବେ ତାକୁ ବିକଶିତ କରି ସେଥିରେ ଦୋକାନ ଆଦି କରି ବା ଭଡ଼ା ଦେଇ ରାଜ୍ୟ ଶାଖାଗୁଡ଼ିକର ରାଜନୈତିକ କାର୍ଯ୍ୟକଳାପକୁ ଚଳାଇ ରଖିବା ପାଇଁ ସେଥିରୁ କିଛି ପାଣ୍ଠି ସଂଗ୍ରହ କରାଯାଇପାରିବ। କିନ୍ତୁ ସେଥିପାଇଁ ବକେୟା ସମ୍ପତ୍ତି କର ଆଦି ପ୍ରଥମେ ପଇଠ କରିବାକୁ ପଡ଼ିବ। ଜମି ଲିଜ୍‌ରେ ନିଆଯାଇଥିଲେ ତା’ର ଦେୟ ବି ପ୍ରଦାନ କରିବାକୁ ପଡ଼ିବ। ଜମି ଜବରଦଖଲ ହୋଇଥିଲେ ତା’ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ।

ତେବେ ଦଳୀୟ ସମ୍ପତ୍ତି ଚିହ୍ନଟ ଉପରେ ଗୁରୁତ୍ବ ଦେଲେ କିଛି ‘ଗୃହ-ଶତ୍ରୁ’ଙ୍କ ଷଡ଼୍‌ଯନ୍ତ୍ରର ଶିକାର ହେବାକୁ ପଡ଼ିପାରେ। ଏ ବିଷୟରେ ସଚେତନ ରହିବା ସହ ଏଆଇସିସି କୋଷାଧ୍ୟକ୍ଷ ବନ୍‌ସଲ କହିଛନ୍ତି ଯେ, କଂଗ୍ରେସ ସଭାପତିଙ୍କ ବିନା ଅନୁମତିରେ ଦଳର କୌଣସି ସମ୍ପତ୍ତିକୁ ବିକ୍ରି କରାଯାଇ ପାରିବ ନାହିଁ ବା କାହାକୁ ଅଧିକାର ହସ୍ତାନ୍ତର କରାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର