ନୂଆଦିଲ୍ଲୀ: ପୂର୍ବତନ ବିଶ୍ବ ବିଜେତା ବିଶ୍ବନାଥନ ଆନନ୍ଦ ଷ୍ଟାଭେଞ୍ଜରଠାରେ ଚାଲିଥିବା ନରୱେ ଚେସ୍ ପ୍ରତିଯୋଗିତାର କ୍ଲାସିକାଲ ବର୍ଗରେ ବିଶ୍ବ ବିଜେତା ମାଗ୍ନସ୍ କାର୍ଲସେନ୍ଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ଫ୍ରାନ୍ସ ଗ୍ରାଣ୍ଡମାଷ୍ଟର ମାକ୍ସିମେ ଭାଚିଅର ଲାଗ୍ରାଭେ, ଦ୍ବିତୀୟରେ ବୁଲ୍ଗେରିଆ ଗ୍ରାଣ୍ଡ୍ମାଷ୍ଟର ଭାସେଲିନ ଟୋପାଲୋଭ୍ ଏବଂ ତୃତୀୟ ମ୍ୟାଚ୍ରେ ଚୀନ୍ର ୱାଙ୍ଗ୍ ହାଓଙ୍କୁ ପରାସ୍ତ କରିବା ପରେ ଆନନ୍ଦ ଚତୁର୍ଥ ରାଉଣ୍ଡରେ ଆମେରିକାର ୱେସ୍ଲି ସୋ’ଙ୍କଠାରୁ ଆର୍ମେଗେଡନ୍ (ସଡନ୍ଡେଥ୍) ଜରିଆରେ ହାରିଯାଇଥିଲେ। ପ୍ରତିଯୋଗିତାରେ ଏହା ତାଙ୍କର ପ୍ରଥମ ପରାଜୟ ଥିଲା। ହେଲେ ଏହି ଭାରତୀୟ ଗ୍ରାଣ୍ଡ୍ମାଷ୍ଟର ପଞ୍ଚମ ରାଉଣ୍ଡରେ ପୁଣି ବିଜୟ ଧାରାକୁ ଫେରିଥିଲେ। ରବିବାରର ବିରତି ଦିବସ ପରେ ସୋମବାର ଖେଳାଯାଇଥିବା ପଞ୍ଚମ ରାଉଣ୍ଡରେ ଆନନ୍ଦ ନରୱେ ଗ୍ରାଣ୍ଡମାଷ୍ଟର କାର୍ଲସେନ୍ଙ୍କୁ ପରାସ୍ତ କରିଛନ୍ତି। ଉଭୟଙ୍କ ମୁକାବିଲା ୪୦ତମ ଚାଲ୍ ବେଳେ ଅମୀମାଂସିତ ରହିଥିଲା। ହେଲେ ଆର୍ମେଗେଡନ (ସଡନ୍ଡେଥ୍) ଜରିଆରେ ୫୦ତମ ଚାଲ୍ ବେଳେ ହିଁ ଆନନ୍ଦ ବାଜି ମାରିନେଇଥିଲେ। ଏହି ଚମତ୍କାର ବିଜୟ ପରେ ଆନନ୍ଦ ସର୍ବାଧିକ ୧୦ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଲମ୍ଫ ମାରିଛନ୍ତି।
ଏହି ପ୍ରତିଯୋଗିତାର ଆଉ ୪ ରାଉଣ୍ଡ ଖେଳ ବାକି ଥିଲା ବେଳେ ଆନନ୍ଦଙ୍କଠୁ ପରାଜୟ ସତ୍ତ୍ବେ କାର୍ଲସେନ୍ (୯.୫) ଦ୍ବିତୀୟରେ ରହିଛନ୍ତି। ଆମେରିକାର ସୋ’ ଏବଂ ଆଜରବୈଜାନ୍ର ସାଖ୍ରିୟାର ମାମେଦ୍ୟାରୋଭ ୮.୫ ପଏଣ୍ଟ ଲେଖାଏଁ ସହ ଯୁଗ୍ମ ତୃତୀୟ ସ୍ଥାନରେ ରହିଛନ୍ତି। ପଞ୍ଚମ ରାଉଣ୍ଡରେ ସୋ’ ଆର୍ମେଗେଡନ୍ ଜରିଆରେ ମାମେଦ୍ୟାରୋଭଙ୍କଠୁ ହାରିଯାଇଥିଲେ। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସର ଅନିଶ ଗିରି, ନରୱେର ଆର୍ଯ୍ୟନ ତାରି ଏବଂ ଫ୍ରାନ୍ସର ମାକ୍ସିମେ ଭାଚିଅର ଲାଗ୍ରାଭେ ଯଥାକ୍ରମେ ଆଜରବୈଜାନର ତିମୁର ରାଜାବୋଭ, ୱାଙ୍ଗ୍ ହାଓ ଏବଂ ବୁଲ୍ଗେରିଆର ଭାସେଲିନ ଟୋପାଲୋଭ୍ଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି। ଗିରି ଓ ଲାଗ୍ରାଭେ ୭ ପଏଣ୍ଟ ଲେଖାଏଁ ପାଇଥିଲା ବେଳେ ତାରି ୬ ପଏଣ୍ଟ ସହ ସପ୍ତମରେ ରହିଛନ୍ତି। ଟୋପାଲୋଭ୍ (୪.୫), ୱାଙ୍ଗ୍ (୩) ଓ ରାଜାବୋଭ୍ (୩) ୧୦ ଜଣିଆ ଖେଳାଳିଙ୍କ ମଧ୍ୟରେ ଶେଷ ୩ ସ୍ଥାନରେ ସଂଘର୍ଷ କରୁଛନ୍ତି।