ଆମେରିକାରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଲା

ୱାସିଂଟନ୍‌: ଆମେରିକାରେ କୋଭିଡ୍‌ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଯାଇଛି। ପ୍ରତିଦିନ ଆମେରିକାରେ ପ୍ରାୟ ୮୦୦ ଜଣଙ୍କର କରୋନାରେ ମୃତ୍ୟୁ ହେଉଛି ଏବଂ ମୋଟ୍‌ ମୃତ୍ୟୁସଂଖ୍ୟା ୨ ଲକ୍ଷ ୫ ହଜାର ୪୯୧ରେ ପହଞ୍ଚିଛି। ଏପ୍ରିଲ ୧୫ ତାରିଖରେ ଆମେରିକାର ଦୈନକ ମୃତ୍ୟୁସଂଖ୍ୟା ୨,୮୦୬ ଥିଲା। ମହାମାରୀର ପ୍ରଥମ କିଛି ମାସରେ ଆମେରିକାରେ ସର୍ବାଧିକ କୋଭିଡ୍‌ ମୃତ୍ୟୁ ହେଉଥିଲା। ତେବେ ଧୀରେ ଧୀରେ ଆମେରିକାରେ ମୃତ୍ୟୁସଂଖ୍ୟା କମିଥିଲେ ମଧ୍ୟ ମୋଟ୍‌ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଯାଇଛି। ଏହା ବିଶ୍ବରେ ସର୍ବାଧିକ। ଅନ୍ୟପକ୍ଷେ ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୭ ଲକ୍ଷ ୯୮ ହଜାର ଅତିକ୍ରମ କରିଛି। ୱାସିଂଟନ୍‌ ୟୁନିଭର୍ସିଟିର ସ୍ବାସ୍ଥ୍ୟ ଅନୁଷ୍ଠାନ ଦ୍ବାରା ହୋଇଥିବା ଏକ ଆକଳନରେ କୁହାଯାଇଛି ଯେ, ୨୦୨୦ ଶେଷ ବେଳକୁ ଦେଶରେ କରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ୭୮ ହଜାର ପହଞ୍ଚିବ। ଡିସେମ୍ବର ମାସରେ ଆମେରିକାରେ ଦିନକୁ ପ୍ରାୟ ୩ ହଜାର ମୃତ୍ୟୁ ହେବ ବୋଲି ଆକଳନ କରାଯାଇଛି। ପ୍ରାଣ ହରାଇଥିବା ୭୦ ପ୍ରତିଶତରୁ ଅଧିକ ରୋଗୀଙ୍କ ବୟସ ୬୫ ବର୍ଷରୁ ଅଧିକ ହେବ। ଆମେରିକାରେ ପ୍ରତି ୧୦ ହଜାରରେ ୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ରଏଟର୍ସ ତଥ୍ୟରେ କୁହାଯାଇଛି। ଆମେରିକା ପରେ ବ୍ରାଜିଲ୍‌ରେ ସର୍ବାଧିକ ୧ ଲକ୍ଷ ୩୮ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର