ଦିଲ୍ଲୀ ପୌର ନିର୍ବାଚନରୁ ଜଣାପଡ଼ିବ ଜାତୀୟ ରାଜନୀତିର ଗତି କୁଆଡ଼େ

୨୦୨୨ ପୌର ନିର୍ବାଚନରେ ଆପ୍ ଜିତିପାରେ, ଯଦିଚ ବିଜେପି ତା’ର ୨୦୧୭ର ଭୋଟ ସେୟାରକୁ ବହୁଳାଂଶରେ ହାତରେ ରଖିବାକୁ ସକ୍ଷମ ହେବ

ନୂଆଦିଲ୍ଲୀ: ପୌର ନିର୍ବାଚନର ଫଳାଫଳ କ’ଣ ଜାତୀୟ ରାଜନୀତିରେ ପରିବର୍ତ୍ତନର ବଡ଼ ସଂକେତ ବହନ କରେ? ସବୁବେଳେ କରି ନ ଥାଏ। ତେବେ ୨୦୨୨ ଦିଲ୍ଲୀ ପୌର ନିର୍ବାଚନ ଏପରି କିଛି ସଂକେତ ବହନ କରିପାରେ। ଜାତୀୟ ସ୍ତରରେ ରାଜନୀତିର ଗତି କୁଆଡ଼କୁ ଯାଉଛି ତାହା ଏହି ନିର୍ବାଚନର ଫଳାଫଳରୁ ଅନୁମାନ କରାଯାଇପାରେ।

ଆମ୍ ଆଦ୍‌ମୀ ପାର୍ଟି (ଆପ୍) ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। କିନ୍ତୁ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନ ବିଜେପି ଅକ୍ତିଆରକୁ ଯାଇଥିଲା। ୨୦୧୭ ପୌର ନିର୍ବାଚନରେ ଆପ୍ କିଛି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିଲା। କିନ୍ତୁ ତ୍ରିକୋଣୀୟ ନିର୍ବାଚନରେ ବିଜେପି ବହୁସଂଖ୍ୟାରେ ଜିତିଲା। ତେବେ ଚଳିତ ପୌର ନିର୍ବାଚନରେ ବିଜେପି ପୁଣିଥରେ ଅନୁରୂପ ସଫଳତା ପାଇବ କି, ନା ଆପ୍ ବିଜେପିକୁ ପଛରେ ପକାଇ ଦିଲ୍ଲୀରେ ପ୍ରମୁଖ ରାଜନୈତିକ ଶକ୍ତିରେ ପରିଣତ ହେବ? ଦିଲ୍ଲୀ ପୌର ନିର୍ବାଚନ ଛଅମାସ ବିଳମ୍ବରେ ଅନୁଷ୍ଠିତ ହୋଇଛି। ଦିଲ୍ଲୀ ପୌର ନିଗମ (ସଂଶୋଧନ) ବିଲ୍ ୨୦୨୨ ଉତ୍ତର, ଦକ୍ଷିଣ ଓ ପୂର୍ବ ଦିଲ୍ଲୀର ପୌର ନିଗମକୁ ଯୋଡ଼ି ଗୋଟିଏ ନିଗମରେ ପରିଣତ କରିଦେଇଛି। ‌

ତିନୋଟି ପୌର ନିଗମର ମୋଟ ଆସନ ସଂଖ୍ୟା ୨୭୨ ଥିବା ବେଳେ ବର୍ତ୍ତମାନ ଏକୀକୃତ ନିଗମର ଆସନ ସଂଖ୍ୟା ୨୫୦କୁ ହ୍ରାସ ପାଇଛି। ପ୍ରଶାସନିକ ପ୍ରସଙ୍ଗ ଛଡ଼ା ଉକ୍ତ ଏକୀକରଣ ମଧ୍ୟ ରାଜନୈତିକ ଦୃଶ୍ୟପଟରେ ରୋଚକ ପରିବର୍ତ୍ତନ ଆଣିଛି। ଦିଲ୍ଲୀର ନୂଆ ମେୟରଙ୍କୁ ନେଇ କ୍ଷମତା କନ୍ଦଳ ଉପୁଜିପାରେ। କାରଣ ଯେତିକି ଲୋକ ଭୋଟ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରିଛନ୍ତି, ପ୍ରାୟ ସେତିକି ଲୋକ ଭୋଟ ଦେଇ ନୂଆ ମେୟରଙ୍କୁ ନିର୍ବାଚିତ କରିବେ। ତେଣୁ ମେୟରଙ୍କ କ୍ଷମତା ମୁଖ୍ୟମନ୍ତ୍ରୀଙ୍କ କ୍ଷମତାଠାରୁ କିଛି କମ୍ ହେବା କଥା ନୁହେଁ।

ଚଳିତ ପୌର ନିର୍ବାଚନରେ କେଉଁ ଦଳ ଜିତିବ? ୨୦୧୭ରେ ବିଜେପି ୨୦୧୨ ତୁଳନାରେ ଅଧିକ ଆସନ ହାତେଇଥିଲା ଯଦିଚ ଭୋଟ ସେୟାର ପ୍ରାୟ ସମାନ ରହିଥିଲା। ଦଳ ୧୮୧ ଆସନ ଓ ୩୭ ପ୍ରତିଶତ ଭୋଟ ପାଇଥିଲା। ୨୦୧୨ରେ ବି ଭୋଟ ସେୟାର ସମାନ ଥିଲା କିନ୍ତୁ ଦଳ ୧୩୮ଟି ଆସନ ପାଇଥିଲା। ଭୋଟ ସେୟାର ସମାନ ଥାଇ ଅଧିକ ଆସନ ପାଇବାର କାରଣ ଅନ୍ୟ ଦଳଗୁଡ଼ିକ ଦ୍ବାରା ଭୋଟ ବିଭାଜନ। ଆପ୍ ୨୬ ପ୍ରତିଶତ ଭୋଟ ସେୟାର ସହ ୪୮ଟି ଆସନ ପାଇଥିଲା। କଂଗ୍ରେସ ମାତ୍ର ୩୦ ସିଟ୍ ପାଇ ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦ‌ା ବି ହରାଇଥିଲା।

ସମ୍ବନ୍ଧିତ ଖବର