ଭାରତୀୟଙ୍କୁ ତାଲିବାନର ଟାର୍ଗେଟ୍‌: ଅଟକାଇଲେ, ଜେରା ପରେ ଛାଡ଼ିଲେ

୧୫୦ ଭାରତୀୟଙ୍କ ଦସ୍ତାବିଜ୍‌ ଯାଞ୍ଚ କଲା ତାଲିବାନ, ସମସ୍ତେ ସୁରକ୍ଷିତ

ନୂଆଦିଲ୍ଲୀ : ତାଲିବାନ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନରେ କ୍ଷମତା ଅକ୍ତିଆର କରିବାର ସପ୍ତାହେ ବିତିଯାଇଛି ଏବଂ ଭାରତ ଏବେ ବି ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା‌ ଜାରି ରଖିଛି। ସ୍ବଦେଶ ଫେରିବା ପାଇଁ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପେକ୍ଷାରତ ପ୍ରାୟ ୧୫୦ ଜଣ ଭାରତୀୟ ନାଗରିକଙ୍କୁ ଆଜି ସକାଳେ ତାଲିବାନ ଅଟକ ରଖିଥିଲା। କିଛି ଘଣ୍ଟା ଅଟକ ରଖି ଜେରା ପରେ ଭାରତୀୟ ନାଗରିକଙ୍କୁ ଦସ୍ତାବିଜ ଯାଞ୍ଚ କରି ଛାଡ଼ି ଦିଆଯାଇଥିଲା। ପ୍ରଥମେ ସୋସିଆଲ ମିଡିଆରେ ଏନେଇ ଖବର ପ୍ରସାରିତ ହୋଇଥିଲା ଏବଂ ଭାରତ ସରକାର ତତ୍ପରତାର ସହ ପଦକ୍ଷେପ ନେଇଥିଲେ। ତେବେ ଏହି ଅପହରଣ ଅଭିଯୋଗକୁ ତାଲିବାନ ପକ୍ଷରୁ ଖଣ୍ଡନ କରାଯାଇଛି। ତାଲିବାନ ମୁଖପାତ୍ର ଅହମଦୁଲ୍ଲା ୱାସେକ୍‌ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, କୌଣସି ବିଦେଶୀ ନାଗରିକଙ୍କୁ ଅପହରଣ କରାଯାଇନାହିଁ। କେବଳ ସେମାନଙ୍କ ଦସ୍ତାବିଜ ଯାଞ୍ଚ କରାଯାଇଛି ଏବଂ ପରିଚୟ ସଂକ୍ରାନ୍ତ ପଚରାଉଚରା କରାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଭାରତ ସରକାର କହିଛନ୍ତି, ଆଫଗାନିସ୍ତାନରେ ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି। ସେମାନଙ୍କ ସହ ଆମ ଅଧିକାରୀମାନେ ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ବ୍ୟବସ୍ଥା ହେଉଛି । ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ କାବୁଲ୍‌ରେ ଏକ ସ୍ବତନ୍ତ୍ର ଟିମ୍‌ ଅଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସମସ୍ତ ଭାରତୀୟ ନାଗରିକ କାବୁଲ୍‌ରେ ସୁରକ୍ଷିତ ଅଛନ୍ତି ବୋଲି ଆଫଗାନ୍‌ ଗଣମା‌ଧ୍ୟମ ମଧ୍ୟ ସ୍ପଷ୍ଟ କରିଛି।

କାବୁଲ ବିମାନବନ୍ଦରରୁ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ହଠାତ ତାଲିବାନ ଆତଙ୍କବାଦୀ ସେଠାରେ ପହଞ୍ଚିଥିଲେ ଏବଂ ୧୫୦ ଭାରତୀୟଙ୍କୁ ସେମାନେ ଆଣିଥିବା ଗାଡ଼ିରେ ଏକ ପରିତ୍ୟକ୍ତ ପୁଲିସ ଷ୍ଟେସନ୍‌କୁ ନେଇଥିଲେ। ସେଠାରେ ସମସ୍ତଙ୍କୁ ପରିଚୟପତ୍ର ଦେଖାଇବାକୁ କୁହାଯିବା ସହ ଆଫଗାନିସ୍ତାନ ଛାଡ଼ିବାର କାରଣ ପଚାରିଥିଲେ। ଆଫଗାନିସ୍ତାନରେ ଭାରତୀୟ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟାରେ ସହଯୋଗ କରୁଥିବା ଜଣେ ଭାରତୀୟ ଅଧିକାରୀଙ୍କୁ ମଧ୍ୟ ତାଲିବାନ ଆତଙ୍କବାଦୀ ଉଠାଇ ନେଇଥିଲେ। ସେମାନେ କିଛି ଭାରତୀୟ ନାଗରିକଙ୍କୁ ମାରପିଟ ମଧ୍ୟ କରିଛନ୍ତି। ଆଜି ସକାଳେ ଏକ ସାମରିକ ବିମାନ କାବୁଲ ବିମାନବନ୍ଦରରୁ ୮୫ ଭାରତୀୟ ନାଗରିକଙ୍କୁ ନେଇ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି କାଣ୍ଡ ଘଟିଥିଲା। ଭାରତ ସରକାର ଏବେ ଯୁଦ୍ଧସ୍ତରରେ ସମସ୍ତ ନାଗରିକଙ୍କୁ ଆଫଗାନିସ୍ତାନରୁ ଖାଲି କରିବାକୁ ଚାହିଛନ୍ତି। ଏବେ ବି ୧ହଜାରରୁ ଅଧିକ ଭାରତୀୟ ନାଗରିକ ଆଫଗାନିସ୍ତାନର ବିଭିନ୍ନ ସହରରେ ଫସି ରହିଛନ୍ତି। ସମସ୍ତଙ୍କୁ ଉଦ୍ଧାର କରିବା ଭାରତ ସରକାରଙ୍କ ପାଇଁ ଏକ ଚ୍ୟାଲେଂଜ ହୋଇଛି।

ସମ୍ବନ୍ଧିତ ଖବର