ମଧ୍ୟପ୍ରଦେଶ: ଗିରଫଦାରୀ ଏଡ଼ାଇବାକୁ ହତ୍ୟା ଅଭିଯୁକ୍ତ ମନ୍ତ୍ରୀ ଫେରାର୍‌

ଭୋପାଳ: ଏକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥାଇ ଫେରାର ହୋଇ ଯାଇଥିବା ମଧ୍ୟପ୍ରଦେଶର ମନ୍ତ୍ରୀ ଲାଲ୍‌ ସିଂହ ଆର୍ଯ୍ୟଙ୍କୁ ଗିରଫ କରିବା ପାଇଁ ମଧ୍ୟପ୍ରଦେଶ ପୁଲିସ୍‌ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିବା ସହ ରାତିଦିନ ଏକ କରି ଦେଇଛି। ମଧ୍ୟପ୍ରଦେଶର ଏକ କୋର୍ଟ ସଂପୃକ୍ତ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ମନ୍ତ୍ରୀ ଆର୍ଯ୍ୟଙ୍କୁ ସଶରୀରରେ ଆଣି କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ସେ ଫେରାର୍‌ ହୋଇ ଯାଇଥିବା ଜଣାପଡ଼ିଛି।

ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ୨୦୦୯ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଅପ୍ରେଲ ୧୩ ତାରିଖରେ ଗୋହଦ୍‌ର କଂଗ୍ରେସ ବିଧାୟକ ଥିବା ମାଖନ୍‌ଲାଲ୍‌ ଜାଟଭଙ୍କୁ କେତେକ ଅଜ୍ଞାତ ବନ୍ଧୁକଧାରୀ ଗୁଳିମାରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିଲେ ବର୍ତ୍ତମାନର ମନ୍ତ୍ରୀ ଥିବା ଆର୍ଯ୍ୟ।

ଏହି ମାମଲାରେ ଆଗୁଆ ଜାମିନ ପାଇଁ ଅଭିଯୁକ୍ତ ମନ୍ତ୍ରୀ ଆର୍ଯ୍ୟ କରିଥିବା ଆବେଦନକୁ ମଧ୍ୟପ୍ରଦେଶର ଗୋଓ୍ଵାଲିୟର ବେଞ୍ଚ୍‌ ଖାରଜ୍‌ କରିଦେବା ପରେ, ଗତ ଡିସେମ୍ବର ୫ ତାରିଖରେ ଏହି ମାମଲାର ବିଚାର କରି ସ୍ୱତନ୍ତ୍ର ବିଚାରପତି ଯୋଗେଶ ଗୁପ୍ତା, ଅଭିଯୁକ୍ତ ମନ୍ତ୍ରୀ ଆର୍ଯ୍ୟଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରଓ୍ଵାନା ଜାରି କରିବା ସହ ତାଙ୍କୁ ଡିସେମ୍ବର ୧୯ ତାରିଖ ସୁଦ୍ଧା ସଶରୀରରେ ଆଣି କୋର୍ଟରେ ହାଜର କରାଇବା ପାଇଁ ମଧ୍ୟପ୍ରଦେଶ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱତନ୍ତ୍ର ବିଚାରପତିଙ୍କ ଏ ଆଦେଶ ପରେ ମନ୍ତ୍ରୀ ଆର୍ଯ୍ୟ ଫେରାର୍‌ ହୋଇଯାଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ସରକାରରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ ଅଭିଯୁକ୍ତ ଆର୍ଯ୍ୟ।

ସମ୍ବନ୍ଧିତ ଖବର